Odia News Portal

ଅନିମେଶଙ୍କୁ ସ୍ବର୍ଣ୍ଣ: ରୌପ୍ୟ ପାଇଲେ ଶ୍ରାବଣୀ, ପ୍ରଜ୍ଞା, ସ୍ବାଧୀନ

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ‌୨୭ତମ ଜାତୀୟ ବରିଷ୍ଠ ଫେଡେରେସନ୍‌ ଦୌଡ଼କୁଦରେ ସୋମବାର ଓଡ଼ିଆ ଖେଳାଳି ଚମକ ଦେଖାଇଛନ୍ତି। ଅନିମେଶ କୁଜୁରୁ ପୁରୁଷ ୨୦୦ ମିଟର ଦୌଡ଼‌ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ମହିଳାରେ ରୌପ୍ୟ ପାଇଛନ୍ତି ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ। ସେହିଭଳି ୧୦୦ ମିଟର ବାଧା ଦୌଡ଼ରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ମଧ୍ୟ ରୌପ୍ୟ ପଦକ କରାୟତ୍ତ କରିଛନ୍ତି।

ଅନିମେଶ (୨୦.୬୨ ସେକେଣ୍ଡ) ବ୍ୟକ୍ତିଗତ ଶ୍ରେଷ୍ଠ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଆନ୍ଧ୍ରପ୍ରଦେଶର ନାଲୁବୋଥୁ ଶାନୁମାଗା (୨୦.୯୭ ସେକେଣ୍ଡ) ଦ୍ବିତୀୟ ଓ ମହାରାଷ୍ଟ୍ରର ଜୟ ଶାହ (୨୧.୩୧) ତୃତୀୟ ସ୍ଥାନରେ ରହିଛନ୍ତି। ମହିଳା ୨୦୦ ମିଟ‌ରରେ ଶ୍ରାବଣୀ (୨୩.୮୯ ସେକେଣ୍ଡ) ମାତ୍ର ୦.୦୪ ସେକେଣ୍ଡ ପାଇଁ ‌ସ୍ବର୍ଣ୍ଣରୁ ବଞ୍ଚିତ ହୋଇଛନ୍ତି। କର୍ଣ୍ଣାଟକର ଉନ୍ନତି ଆଇୟାପ୍ପା ବୋଲାଣ୍ଡ (୨୩.୮୫ ସେକେଣ୍ଡ) ‌ରୌପ୍ୟ ଓ ଗୁଜରାଟର ଦେବ୍ୟାନିବା ମହେନ୍ଦ୍ରସିନ (୨୪.୧୪ ସେକେଣ୍ଡ) କାଂସ୍ୟ ପାଇଛନ୍ତି। ୧୦୦ ମିଟର ବାଧା ଦୌଡ଼ରେ ପ୍ରଜ୍ଞା (୧୩.୪୦ ସେକେଣ୍ଡ) ରୌପ୍ୟ କରାୟତ୍ତ କରିଥିଲା ବେଳେ ତାମିଲନାଡ଼ୁର ନିତ୍ୟା ରାମରାଜ (୧୩.୧୪ ସେକେଣ୍ଡ) ସ୍ବର୍ଣ୍ଣ ଓ ପଶ୍ଚିମବଙ୍ଗର ମୌମିତା ମଣ୍ଡଳ (୧୩.୬୪ ସେକେଣ୍ଡ) କାଂସ୍ୟ ହାତେଇଛନ୍ତି। ହାଇ ଜମ୍ପ୍‌ରେ ସ୍ବାଧୀନ ମାଝି ରୌପ୍ୟ ପାଇଥିଲେ। ସେ ୨.୦୯ ମିଟର ଡେଇଁ ଏହି ପଦକ କରାୟତ୍ତ କରିଛନ୍ତି। କର୍ଣ୍ଣାଟକର ଚେତନ ବାଲସୁବ୍ରମନ୍ୟୁମ (୨.୦୯ ମିଟର) ସ୍ବର୍ଣ୍ଣ ଏବଂ ଆନ୍ଧ୍ରପ୍ରଦେଶର ସାଇକ ମୋହିଦିନ (୨.୦୫ ମିଟର) କାଂସ୍ୟ ପାଇଥିଲେ। ତେବେ ଅନ୍ୟ ଜଣେ ଓଡ଼ିଆ ନିଖିଳ ଦାସ (୨.୦୫ ମିଟର) ଚତୁର୍ଥ ସ୍ଥାନରେ ରହି ଅଳ୍ପରେ ପଦକରୁ ବଞ୍ଚିତ ହୋଇଥିଲେ।

ଈଶ୍ବରଙ୍କ ଆଶୀର୍ବାଦ ମିଳିଲେ ପୁଣି ଅଲିମ୍ପିକ୍ସ ଖେଳିବି: ଶ୍ରାବଣୀ

ଅଲିମ୍ପିକ୍ସ ବର୍ଷ ଚାଲିଛି। ମୁଁ ପୂର୍ବରୁ ଅଲିମ୍ପିକ୍ସରେ ୨୦୦ ମିଟରରେ ଭାଗ ନେଇଛି। ଏବେ ଶ୍ରେଷ୍ଠ ଦେବା ଲାଗି ପରିଶ୍ରମ କରୁଛି। ଈଶ୍ବରଙ୍କ ଆଶୀର୍ବାଦ ରହିଲେ ପୁଣି ଥରେ ଅଲିମ୍ପିକ୍ସରେ ଭାଗ ନେଇପାରିବି। ଏବେ ପ୍ରତିଯୋଗିତା ଆରମ୍ଭ ‌ହେଉଛି। ମୋ ଶରୀର ଠିକ୍‌ରେ କାମ କରିନି। ସେଥିପାଇଁ ସ୍ବର୍ଣ୍ଣରୁ ବଞ୍ଚିତ ହେଲି। କିନ୍ତୁ ପ୍ରଦର୍ଶନରେ ଖୁସି ଅଛି। କାରଣ ଏହା ମୋର ଚଳିତ ଋତୁ ସମୟ। ମୋ ପାଖରେ ଥିବା ପ୍ରତିଭାର ଶତ ପ୍ରତିଶତ ଦେଇପାରୁନି ବୋଲି ମୁଁ ଅନୁଭବ କରୁଛି। ଏବେ ଯିଏ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସେ ଜଣେ କ୍ରୀଡ଼ାବିତ୍‌ ପରିବାରରୁ ଅାସିଛନ୍ତି। ତାଙ୍କ ମା’ ପ୍ରମିଳା ଆୟାପ୍ପା ଏସୀୟ ବିଜେତା ଏବଂ ଜଣେ ଅଲିମ୍ପିଆନ୍‌। ପ୍ରମିଳାଙ୍କ ସହ ମୁଁ ଯେତେବେଳେ ବେଙ୍ଗାଲୁରୁରେ ଅଭ୍ୟାସ କରୁଥିଲି ସେତେବେଳେ ଉନ୍ନତିଙ୍କୁ ମାତ୍ର ୩ ବର୍ଷ ହୋଇଥିଲା। ‌ଏବେ ସେ ମୋତେ ଭଲ ସମୟ ନେଇ ଅତିକ୍ରମ କରିପାରିଛନ୍ତି। ସେହିପରି ବାଧାଦୌଡ଼ରେ ରୌପ୍ୟ ପାଇଥିବା ପ୍ରଜ୍ଞା କହିଛନ୍ତି, ପ୍ରତିଯୋଗିତା ପୂର୍ବରୁ ବହୁତ କଷ୍ଟ କରିଥିଲି। ତେଣୁ ଭଲ ଫଳ ଆଶାରେ ଥିଲି। ଦୁର୍ଭାଗ୍ୟବଶତଃ ତିନିଟି ହର୍ଡଲ୍ସ ଖରାପ ହେବାରୁ ମୋର ସ୍ବର୍ଣ୍ଣ ପଦକ ହାତଛଡ଼ା ‌ହୋଇଗଲା। ଏଥି ପାଇଁ ବହୁତ ଦୁଃଖିତ। ଆଗକୁ ଭଲ କରିବାକୁ ଚେଷ୍ଟା କରିବି।

ଫୁଟ୍‌ବଲର୍‌ରୁ ହୋଇଗଲି ଧାବକ: ଅନିମେଶ

ଛତିଶଗଡ଼ ଅମ୍ବିକାପୁରସ୍ଥିତ ସୈନିକ ସ୍କୁଲ୍‌ରେ ପଢ଼ୁଥିଲା ବେଳେ ଦୌଡ଼କୁଦ କ’ଣ ଜାଣି ନଥିଲି। କେବଳ ଫୁଟ୍‌ବଲ୍‌ ଖେଳୁଥିଲୁ। ଦୌଡ଼ ପ୍ରତି କୌଣସି ଆଗ୍ରହ ନଥିଲା। ‌ହେଲେ କରୋନା ସମୟରେ ଫୁଟ୍‌ବଲ୍‌ ଖେଳ ବନ୍ଦ ହୋଇଗଲା। କରୋନା ସମୟରେ ସାଙ୍ଗମାନେ ରାଜ୍ୟ ପ୍ରତିଯୋଗିତାରେ ଖେଳିବାକୁ କହିଲେ। ଏହିଠାରେ ଜାତୀୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିଲି। ୨୦୨୨ରେ ଏକ ପ୍ରତିଯୋଗିତାରେ ଭାଗ ନେଉଥିଲା ବେଳେ ମାର୍ଟିନ ‌କୋଏଙ୍କୁ ଦେଖିଥିଲି। ସେ କିଏ ମୁଁ ଜାଣି ନଥିଲି। ବିଦେଶୀ ବୋଲି ତାଙ୍କ ପାଖକୁ ଗଲି। କଥାବାର୍ତ୍ତା ବେଳେ ତାଙ୍କୁ ସିଧାସଳଖ କହିଲି ମୁଁ ଆପଣଙ୍କଠୁ ପ୍ରଶିକ୍ଷଣ ନେବାକୁ ଚାହୁଛି। ସେ ରାଜି ହେଲେ ‌ଏବଂ ଓଡ଼ିଶା ଆସିବାକୁ କହିଲେ। ତାପରଠୁ ମୁଁ ଓଡ଼ିଶାରୁ ଖେଳୁଛି। ଏଠାରେ ଓଡ଼ିଶା ସରକାର ସବୁ ପ୍ରକାର ‌ସହଯୋଗ କରୁଛନ୍ତି। ଆଜି ଭଲ ଆରମ୍ଭ ଉପରେ ମନୋନିବେଶ କରିଥିଲି। ପରିବେଶ ବି ବହୁତ ଭଲ ଥିଲା। ମୋର ସବୁ ‌ଶକ୍ତି ଲଗାଇ ଦେଇଥିଲି। ଏବେ ଅଲିମ୍ପିକ୍ସ ଉପରେ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଅନିମେଶ।

ଆଭାଙ୍କ ନୂଆ ଜାତୀୟ କୀର୍ତ୍ତିମାନ

ମହିଳା ସଟ୍‌ପୁଟ୍‌ରେ ମହାରାଷ୍ଟ୍ରର ଆଭା ଖଟୁଆ ଜାତୀୟ କୀର୍ତ୍ତିମାନ କରିଛନ୍ତି। ‌କଳିଙ୍ଗ ଷ୍ଟାଡିୟମ୍‌ରେ ସେ ୧୮.୪୧ ମିଟର ସଟ୍‌ପୁଟ୍‌ ଫିଙ୍ଗି ସ୍ବର୍ଣ୍ଣ ସହ ଏହି କୀର୍ତ୍ତିମାନ ଅଧିକାର କରିଥିଲେ। ସେ ପୂର୍ବରୁ ଥିବା ମନପ୍ରୀତ କୌର (୧୮.୦୬ ମିଟର)ଙ୍କ କୀର୍ତ୍ତିମାନ ଭାଙ୍ଗିଥିଲେ। ଉତ୍ତର ପ୍ରଦେଶର କିରଣ ବଳିୟାନ (୧୬.୫୪) ରୌପ୍ୟ ଓ ଦିଲ୍ଲୀର ସୃଷ୍ଟି ଭିଗ୍‌ ତୃତୀୟରେ ରହିଥିଲେ। ପୁରୁଷ ଡିସ୍‌କସ୍‌ରେ ହରିୟାଣାର ନିର୍ଭୟ ସିଂହ (୫୫.୨୭ ମିଟର), ପଞ୍ଜାବର ଗଗନଦୀପ ସିଂହ (୫୪.୩୮ ମିଟର) ଓ ମଣିପୁରର ଓଇନାମ ଆଲସନ ସିଂହ (୫୨.୦୩ ମିଟର) ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିଲେ।

ସିଧାସଳଖ ଫାଇନାଲ୍‌ରେ ନୀରଜ, କିଶୋର

ତାରକା ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା, କିଶୋର କୁମାର ଜେନା ଏବଂ ଡିପି ମନୁ ଫେଡେରେନସ୍‌ କପ୍‌ ଦୌଡ଼କୁଦର ଜାଭଲିନ୍‌ ଫାଇନାଲ୍‌ରେ ଖେଳିବାକୁ ସିଧାସଳଖ ଯୋଗ୍ୟତା ପାଇଛନ୍ତି। ଉଭୟ ସେମାନଙ୍କ ଖେଳ ଜୀବନରେ ଅନେକ ଥର ୭୫ ମିଟର ମାନଦଣ୍ଡକୁ ଅତିକ୍ରମ କରିଥିବାରୁ ସେମାନଙ୍କୁ ସିଧାସଳଖ ଯୋଗ୍ୟତା ଦିଆଯାଇଛି। ନୀରଜ ଦୋହାରେ ରୌପ୍ୟ ପଦକ ଜିତି ଫେରୁଥିଲାବେଳେ ଏସୀୟ କ୍ରୀଡ଼ା ରୌପ୍ୟ ବିଜେତା କିଶୋର ପଦାର୍ପଣ ଡାଏମଣ୍ଡ ଲିଗ୍‌ରେ ନବମ ସ୍ଥାନରେ ରହିଥିଲେ। ଏମାନଙ୍କ ବ୍ୟତୀତ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଷଷ୍ଠ ସ୍ଥାନରେ ରହିଥିବା ଡିପି ମନୁ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଆଶା ହରାଇ ନଥିଲା ବେଳେ ୮୫.୫୦ ମାନଦଣ୍ଡକୁ ଅତିକ୍ରମ କରିବା ଲକ୍ଷ୍ୟରେ ଅଛନ୍ତି।