Odia News Portal

ଉତ୍ତରାଖଣ୍ଡ ଟନେଲ୍ ଭୁଶୁଡ଼ିବା ଘଟଣା: ଫସି ରହିଥିବା ଶ୍ରମିକଙ୍କୁ ପାଇପ୍ ଯୋଗେ ଦିଆଯାଉଛି ଅମ୍ଲଜାନ

 ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଏକ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ପରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଛି । ଉତ୍ତରକାଶୀ ଜିଲ୍ଲାର ସିଲ୍କୟାରା ସ୍ଥିତ ବ୍ରହ୍ମାଖଲ-ଯମୁନେତ୍ରୀ ଜାତୀୟ ରାଜପଥରେ ନିର୍ମାଣାଧୀନ ଏକ ଟନେଲ୍ ଗତକାଲି ସକାଳ ପ୍ରାୟ ୫ଟାରେ ଭୁଶୁଡ଼ି ପଡ଼ିଥିଲା । ଟନେଲ୍ ଭିତରେ ୪୦ ଶ୍ରମିକ ଫସି ରହିଛନ୍ତି।

ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ | ଫସି ରହିଥିବା ଶ୍ରମିକ ଯେଭଳି ଅଣନିଃଶ୍ବାସୀ ନ‌ ହେବେ ସେଥିପାଇଁ ଏକ ପାଇପ୍ ଦ୍ବାରା ସେମାନଙ୍କ ନିକଟକୁ ଅମ୍ଲଜାନ ଦିଆଯାଉଛି ।

ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ୍) ଓ ପୋଲିସ ସହ ଏନଡିଆରଏଫ୍ ମଧ୍ୟ ସାମିଲ ହୋଇଛନ୍ତି। ଭୁଶୁଡ଼ି ପଡ଼ିଥିବା ଟନେଲର ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଜାରି ରହିଛି। ଏଯାବତ୍ ୧୫ ରୁ ୨୦ ମିଟର ଯାଏଁ ଭଗ୍ନାବଶେଷ ବାହାର‌ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି |

ସେ କହିଛନ୍ତି ଯେ ସମସ୍ତ ୪୦ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ପାଇପ୍ ମାଧ୍ୟମରେ ଅମ୍ଳଜାନ ଯୋଗାଇ ଦିଆଯାଉଛି। ଆମେ ନିରନ୍ତର ଶ୍ରମିକଙ୍କ ସହ ଯୋଗାଯୋଗରେ ଅଛୁ।

ଟନେଲରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଜଳ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ପଠାଯାଉଛି । ପ୍ରବେଶ ଦ୍ଵାର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା ।