Odia News Portal

ଉତ୍ତରାଖଣ୍ଡ ଟନେଲ ଅଘଟଣକୁ ବିତିଲା ୮ ଦିନ, ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ବିଦେଶରୁ ଆସିବେ ବିଶେଷଜ୍ଞ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭୁଶୁଡ଼ିବା ଘଟଣାକୁ ୮ ଦିନ ବିତିଲା । ତଥାପି ଫସି ରହିଥିବା ଶ୍ରମିକଙ୍କୁ ବାହାର କରାଯାଇ ପାରିନାହିଁ । ଟନେଲ୍ ଭିତରେ ୪୦ ନୁହେଁ ୪୧ ଶ୍ରମିକ ଫସିଥିବା ଜଣାପଡ଼ିଛି । ଏତେ ଦିନ ଭିତରେ ରହିବା ଯୋଗୁଁ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ଆଶଙ୍କା ଘାରିଲାଣି। ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅଧିକାରୀ ଏବଂ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ ବିଶେଷଜ୍ଞ ଦଳ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଗୋଟିଏ ଯୋଜନା ବଦଳରେ ପାଞ୍ଚଟି ବିକଳ୍ପ ଯୋଜନା ଉପରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଧିକାରୀଙ୍କ କହିବା ମୁତାବକ ଯଦି ଡ୍ରିଲିଂ ଉପାୟ କାମ ନକରେ ତେବେ ଅଧିକାରୀମାନେ ଟନେଲର ଉପର ପଟୁ ଖୋଳି ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସୀମା ସଡ଼କ ସଂଗଠନ (ବିଆରଓ) ସିଲ୍କୟାରା ଟନେଲ ଭିତରକୁ ଏକ ନୂଆ ରାସ୍ତା ନିର୍ମାଣ କରୁଛି। ଏହା ଫସି ରହିଥିବା ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଆଉ ଏକ ମାଧ୍ୟମ ହେବ |

ଡ୍ରିଲିଂ ମେସିନ୍ ଖରାପ ହୋଇଯିବାରୁ ଶୁକ୍ରବାର ଠାରୁ ବନ୍ଦ ଥିବା ଉଦ୍ଧାର କାର୍ଯ୍ୟ ଆଜି ପୁଣି ଆରମ୍ଭ ହେବ। ଫସିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ପ୍ରଫେସର ଆର୍ନୋଲ୍ଡ ଡିକ୍ସଙ୍କ ସହାୟତା ବି ନେଇଛନ୍ତି ଉଦ୍ଧାରକାରୀ ଦଳ। ସେ ବର୍ତ୍ତମାନ ଅନସାଇଟ୍ ଦଳକୁ ସାହାଯ୍ୟ କରିବାକୁ ଭାରତ ଆସିବେ ବୋଲି ଜଣାପଡ଼ିଛି।

ଏହି ସମୟରେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ସହକର୍ମୀମାନେ ଉଦ୍ଧାର କାର୍ଯ୍ୟରେ ବିଳମ୍ବକୁ ବିରୋଧ କରି ଟନେଲ ଭୁଶୁଡ଼ିବା ପାଇଁ ନିର୍ମାଣକାରୀ କମ୍ପାନୀକୁ ଦାୟୀ କରିଛନ୍ତି।