Odia News Portal

ଦିଲ୍ଲୀକୁ ଫେରିଲା ଅଡ-ଇଭିନ ଫର୍ମୁଲ

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ । ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଜଣାପଡିଛି, କିନ୍ତୁ ହ୍ରାସ ପରିବର୍ତ୍ତେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ବର୍ତ୍ତମାନ ଦିଲ୍ଲୀ ସରକାର ପ୍ରଦୂଷଣ ପାଇଁ  ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀକୁ ପୁଣି ଫେରିଲା ଅଡ-ଇଭିନ ଫର୍ମୁଲା । ସପ୍ତାହେ ପର୍ଯ୍ୟନ୍ତ ଅଡ-ଇଭିନ କଟକଣା ଲାଗୁ ହେବ ।  ନଭେମ୍ବର ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଫର୍ମୁଲା ଲାଗୁ ହେବ । ଏଥିସହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ସ୍କୁଲରେ ଫିଜିକାଲ କ୍ଲାସ ବନ୍ଦ ରଖିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । 

ବାୟୁ ଗୁଣବତ୍ତା ଖରାପ ଯୋଗୁଁ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ସୋମବାର ଠାରୁ ସରକାରୀ ଏବଂ ବେସରକାରୀ କମ୍ପାନୀର କେବଳ ୫୦ ପ୍ରତିଶତ କର୍ମଚାରୀ ଅଫିସ ଯେବେ । ଆଉ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ବାରା ଗାଡି ମଟର ଚଳାଚଳ ହ୍ରାସ ପାଇବ ଯାହା ଦ୍ବାରା ପ୍ରଦୂଷଣ ସ୍ତର କମିବାନେଇ ଆଶା ରହିଛି ।

ଏହା ସହିତ ଅତ୍ୟାବଶ୍ୟକ ସେବାରେ ଜଡିତ ନଥିବା ସମସ୍ତ ମଧ୍ୟମ ଏବଂ ଭାରୀ ସାମଗ୍ରୀ ଯାନବାହାନକୁ ମଧ୍ୟ ଦିଲ୍ଲୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି କରୁଥିବା ଟ୍ରକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହୃତ ଚାରିଚକିଆ ଯାନ ଉପରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅନ୍ୟ ରାଜ୍ୟରୁ କେବଳ ସିଏନଜି, ଇଲେକ୍ଟ୍ରିକ୍, ବିଏସ୍ ଭିଆଇ ଯାନକୁ ଦିଲ୍ଲୀ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି ।