Odia News Portal

ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

ମଧ୍ୟ ପ୍ରଦେଶର ହରଦା ସହରରେ ମଙ୍ଗଳବାର ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୫୦ ଜଣ ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ଘଟଣାର କିଛି ଭିଡିଓ ସାମ୍ନାକୁ ଆସିଛି । ଏଥିରେ ବାଣ କାରଖାନା ହୁତୁ ହୁତୁ ହୋଇ ଜଳିବା ସହ ପ୍ରଚଣ୍ଡ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳୁଛି। ଲୋକମାନେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି ।

ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜିଲ୍ଲା ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ମନ୍ତ୍ରୀ ଉଦୟ ପ୍ରତାପ ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଜିତ କେଶରୀ ଏବଂ ହୋମଗାର୍ଡର ମହାନିର୍ଦ୍ଦେଶକ ଅରବିନ୍ଦ କୁମାରଙ୍କୁ ହେଲିକପ୍ଟର ଯୋଗେ ହରଦା ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଆଁ ଲିଭାଇବା ପାଇଁ ଇନ୍ଦୋର ଓ ରାଜଧାନୀ ଭୋପାଳରୁ ଦମକଳ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି। ଇନ୍ଦୋର, ଭୋପାଳ ଏବଂ ରାଜ୍ୟ ରାଜଧାନୀରେ ଥିବା ଏମ୍ସକୁ ଆହତଙ୍କ ଚିକିତ୍ସା ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ଏକ ଜରୁରୀ ବୈଠକ ଡାକିଛନ୍ତି।