Odia News Portal

ବିଜେଡି ସରକାରକୁ ଓପାଡ଼ି ଫିଙ୍ଗ, ଏଠି ଓଡ଼ିଆ ମୁଖ୍ୟମନ୍ତ୍ରୀ କରିବୁ: ଅମିତ ଶାହ

ନୟାଗଡ଼ ଲାଠିପଡ଼ା ସମାବେଶରୁ ଅମିତ ଶାହଙ୍କ ହୁଙ୍କାର । ୭୫ରୁ ଅଧିକ ସିଟ୍‌ ଜିତି ଓଡ଼ିଶାରେ ବିଜେପି ସରକାର କରିବାକୁ ଦେଲେ ଆହ୍ୱାନ । ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଇଏ । ଓଡ଼ିଶାର ମୁଖ୍ୟମନ୍ତ୍ରୀ କୌଣସି ବାବୁ ହୋଇପାରିବେନି ବୋଲି କହିଲେ । ଓଡ଼ିଆ କହୁଥିବା ଓଡ଼ିଶା ମାଟିର ସନ୍ତାନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୋହରାଇଛନ୍ତି ଶାହ ।

ସଭାରେ ପୁଣି ରତ୍ନ ଭଣ୍ତାର କଥା ଉଠାଇଛନ୍ତି ଅମିତ ଶାହ । ନବୀନ ବାବୁଙ୍କୁ ପଚାରିବାକୁ ଚାହୁଁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ବୋଲି କହିଲେ । ଡୁପ୍ଲିକେଟ ଚାବି କାହିଁକି ତିଆରି ହୋଇଛି ନବୀନ ବାବୁ କୁହନ୍ତୁ । ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲାଯାଇଛି କି ନାହିଁ କୁହନ୍ତୁ । ଯାଞ୍ଚ ରିପୋର୍ଟ କାହିଁକି ଲୁଚା ଯାଇଛି ପଚାରିଲେ ଶାହ ।

ସେପଟେ ଚିଟ୍‌ଫଣ୍ଡ ଲୁଟେରାଙ୍କୁ ଧରି ଓଲଟା ଲଟକା ଯିବ ବୋଲି ନୟାଗଡ଼ ସଭାରେ କହିଛନ୍ତି ଶାହ । ଧନୀ ରାଜ୍ୟ ଓଡ଼ିଶାରେ ଲୋକେ ଗରିବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ଶାସନର ୨୫ ବର୍ଷ, ଲଷ୍ଟ ଟ୍ୱେଣ୍ଟି ଫାଇଭ୍‌ ବୋଲି କହିଲେ । ଓଡ଼ିଶାରେ ଭିତ୍ତିଭୂମି କାର୍ଯ୍ୟ ଲାଇନଚ୍ୟୁତ ହୋଇଯାଇଛି । ଶାସନକୁ ଆସିବାର ୧୦ ଦିନ ଭିତରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି କହିଲେ ।

ପ୍ରତିଥର ବୁଥ୍‌ ରିଗିଂ କରି ନିର୍ବାଚନ ଜିତାଯାଉଥିଲେ । ଏଥର ନିର୍ବାଚନ କମିଶନ ଜାଗତିଆର ଅଛନ୍ତି ବୋଲି ମଧ୍ୟ କହିଛନ୍ତି ଶାହ । ବୁଥ୍‌ ରିଗିଂ ରୋକିବାକୁ କେନ୍ଦ୍ରୀୟ ଫୋର୍ସ ତୟାର ରହିଛନ୍ତି ବୋଲି କହିଲେ । ସେପଟେ ଢେଙ୍କାନାଳ ପର୍ଜଙ୍ଗ ସଭାରେ ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଅମିତ ।

ଏଥର ଓଡ଼ିଶାରେ ବିଜେପିର ରାଜ୍ୟ ସରକାର ହେବାକୁ ଯାଉଛି ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି । ସାରା ଦେଶ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତୁତ । ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ ।-ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ, ବିଜେପି ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେବ ବୋଲି କହିଛନ୍ତି ଶାହ ।

ବିଜେପି ସରକାର ହେଲେ, ଭ୍ରଷ୍ଟାଚାରୀ ଜେଲ୍‌ରେ ପଶିବେ । ୭୫ ବିଧାନସଭା ସିଟ୍ ଜିତନ୍ତୁ, ଆମ ସରକାର ବନାନ୍ତୁ ବୋଲି କହିଛନ୍ତି । ଆମ ସରକାର ହେଲେ ରତ୍ନଭଣ୍ଡାର ଲୁଟେରାଙ୍କୁ ସଜା ଦେବୁ । ଆଜି ଓଡ଼ିଶାର ଯୁବବର୍ଗ ଗୁଜରାଟ, ହରିୟାଣା ଚାକିରି ପାଇଁ ଯାଉଛନ୍ତି । ୫ ବର୍ଷ ମୋଦିଙ୍କୁ ଦିଅନ୍ତୁ, ଓଡ଼ିଶାରେ ଚାକିରି ଦେବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।

ସେହିପରି ନବୀନଙ୍କୁ ରିଟାୟାର୍ଡ କର, ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ । ନବୀନ ବାବୁ ବୁଢ଼ା ହୋଇଗଲେଣି, ତାଙ୍କୁ ରିଟାୟାର୍ଡ କରନ୍ତୁ । ବର୍ଷକରେ ୧ ଲକ୍ଷ ୫୦ ହଜାର ଯୁବବର୍ଗଙ୍କୁ ଚାକିରି ଦେବୁ । ତାମିଲ ବାବୁ ଆମକୁ ରାମ ଉତ୍ସବ ପାଳନ ପାଇଁ ରୋକିଥିଲେ । ରାମ ଉତ୍ସବ ରୋକିବାକୁ ଚେଷ୍ଟା କରିଥିବା ଲୋକକୁ ଭୋଟ ଦିଅନି ବୋଲି କହିଛନ୍ତି ଶାହ।

ଓଡ଼ିଆ ସଂସ୍କୃତିକୁ ଅପମାନିତ କରିଥିବା ଲୋକକୁ ବର୍ଜନ କରିବା ନିର୍ବାଚନ ଇଏ । ରାହୁଲ ବାବା ପାକିସ୍ତାନକୁ ଡରିବା କଥା ଯଦି ଡରନ୍ତୁ । ପାକ୍‌ ଅଧିକୃତ କାଶ୍ମୀର ଆମର, ଆମେ ତାକୁ ଦଖଲ କରିକି ରହିବୁ ବୋଲି ମଧ୍ୟ ଏହି ଅବସରରେ ଦୃଢ଼ତାର ସହ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଆମିତ ଶାହ ।