Odia News Portal

ରାଜ୍ୟ କ୍ୟାବିନେଟ୍‌ରେ ୨୭ ପ୍ରସ୍ତାବ ପାରିତ

ରାଜ୍ୟର ଯେଉଁ ବେକାର ଯୁବକଯୁବତୀ ଉଦ୍ୟୋଗୀ ହେବା ପାଇଁ ‘ଉଦ୍ୟମ’ ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବେ କିମ୍ବା ପୂର୍ବରୁ ଉଦ୍ୟମ ସହାୟକ ନମ୍ବରଧାରୀ ହୋଇ ବ୍ୟବସାୟ କରୁଥିବେ ସେମାନଙ୍କୁ ରାଜ୍ୟ ସରକାର ଆତ୍ମନିର୍ଭରଶୀଳ କରି ‘ସ୍ବତନ୍ତ୍ର ଯୁବ ଉଦ୍ୟମୀ’ ଭାବେ ଗଢ଼ିବେ। ଏଥିପାଇଁ ରାଜ୍ୟ ସରକାର ‘ସ୍ବୟମ୍’ ଯୋଜନା ଆରମ୍ଭ କରିବେ।

ଏଥିରେ ଯୁବବର୍ଗଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଏଥିରେ ସେମାନେ ସେମାନଙ୍କ ଦକ୍ଷତା ଅନୁଯାୟୀ କ୍ଷୁଦ୍ର, ଲଘୁ ଉଦ୍ୟୋଗ କିମ୍ବା ବ୍ୟବସାୟ ଆରମ୍ଭ କରିପାରିବେ। ଏହି ଅର୍ଥକୁ ସେମାନେ ୪ବର୍ଷରେ ସୁଝିବେ। ଗ୍ରାମାଞ୍ଚଳରେ ୧ଲକ୍ଷ ଏବଂ ସହରାଞ୍ଚଳରେ ୫୦ହଜାର ଯୁବକଯୁବତୀ ଏହାଦ୍ବାରା ଉପକୃତ ହେବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଜିର କ୍ୟାବିନେଟ୍‌ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ପାରିତ ହୋଇଛି। ନିର୍ବାଚନକୁ ଆଖି ଆଗରେ ରଖି ଏଥିରେ ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଯାଇଛି। ଯୁବ ବର୍ଗଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ ନୂଆ ଘୋଷଣା କରାଯାଇଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାଧାରଣ ବର୍ଗର (୧୮ରୁ ୩୫ବର୍ଷ) ଏବଂ ସ୍ବତନ୍ତ୍ର ବର୍ଗ-ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଭିନ୍ନକ୍ଷମ ଓ କିନ୍ନରମାନଙ୍କ କ୍ଷେତ୍ରରେ (୧୮ରୁ ୪୦ବର୍ଷ) ଯୁବବର୍ଗଙ୍କୁ ଏହି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମିଳିବ।