Odia News Portal

ସିସୋଦିଆଙ୍କୁ ୩ ଦିନିଆ ଜାମିନ୍‌

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିବା ଦିଲ୍ଲୀ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୩ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରାଯାଇଛି । ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଚାଲିଥିବା ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ସ୍ୱତନ୍ତ୍ର ବିଚାରପତି ଏମ୍‌କେ ନାଗପାଲ୍ ସିସୋଦିଆଙ୍କୁ ଫେବ୍ରୁଆରୀ ୧୩ରୁ ୧୫ ଯାଏ ଏହି ଜାମିନ୍ ପ୍ରଦାନ କରିଛନ୍ତି ।

ସିସୋଦିଆଙ୍କ ପକ୍ଷରୁ ତାଙ୍କ ଝିଆରୀଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କରାଯାଇଥିବା ଆବେଦନକୁ ଗ୍ରହଣ କରିବା ସହ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।ସୂଚନାଯୋଗ୍ୟ, ସମ୍ପ୍ରତି ରଦ୍ଦ ହୋଇସାରିଥିବା ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ପ୍ରଣୟନ ଏବଂ ଏହାକୁ କାର୍ଯ୍ୟକାରିତା କରିବା ଦିଗରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିରେ ମନୀଷ ସିସୋଦିଆଙ୍କ ନାମ ସର୍ବାଗ୍ରେ ରହିଥିଲା । ପରେ ଏହି ମାମଲାରେ ସିବିଆଇ ତଦନ୍ତ କରିବା ପୂର୍ବକ ୨୦୨୩ ଫେବ୍ରୁଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା । ପରେ ଇଡି ତାଙ୍କୁ ମାର୍ଚ୍ଚ ୯ରେ ତିହାର ଜେଲ୍‌ରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା ।