Odia News Portal

ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ: ଆଜି ଉତ୍ତରାଖଣ୍ଡ ବନ୍ଦ, ଦୋଷୀଙ୍କୁ ଫାଶୀ ଦେବାକୁ ଦାବି

ଅଙ୍କିତା ଭଣ୍ଡାରୀ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦାବିରେ ରବିବାର ଉତ୍ତରାଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଉତ୍ତରାଖଣ୍ଡ କ୍ରାନ୍ତି ଦଳ (ୟୁକେଡି) ପକ୍ଷରୁ ଦିଅଯାଇଥିବା ବନ୍ଦ ଡ଼ାକରାକୁ କଂଗ୍ରେସ ସହ ପ୍ରାୟ ୪୦ଟି ସଂଗଠନ ସମର୍ଥନ କରିଛନ୍ତି। ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ କରିବା ସହ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି ହୋଇଛି ।

ଅନ୍ୟପକ୍ଷରେ ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ପୋଲିସ ସହର ଗୁଡ଼ିକୁ ୯ ସୁପର ଜୋନ୍, ୨୧ ଜୁନ୍ ଏବଂ ୪୩ ସେକ୍ଟରରେ ବିଭକ୍ତ କରିଛି | ବନ୍ଦକୁ ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକଙ୍କ ସମର୍ଥନ ମଧ୍ୟ ମିଳିଛି ।

ବନ୍ଦ ଡାକରାର ପ୍ରଭାବ ସମଗ୍ର ଉତ୍ତରାଖଣ୍ଡରେ ଦେଖାଯାଇଛି । ସକାଳୁ ହିଁ ସମସ୍ତ ଦୋକାନ ବନ୍ଦ ରହିଛି। ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସବୁ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଙ୍କିତା ହତ୍ୟା ମାମଲା ଏବଂ ନିଯୁକ୍ତି ଦୁର୍ନୀତି ନେଇ ବିରୋଧୀ ରାଜ୍ୟର ବିଜେପି ସରକାରକୁ ଘେରିଛନ୍ତି । ଅଙ୍କିତାଙ୍କ ଅପରାଧୀଙ୍କୁ ଫାଶୀ ଦିଆଯିବା ସହିତ ନିଯୁକ୍ତି ସ୍କାମରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ମାମଲାରେ ରାଜ୍ୟ ପୋଲିସ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ପୁଲକିତ ହେଉଛନ୍ତି ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ । ହତ୍ୟାକାଣ୍ଡରେ ପୁଅର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ବିଜେପି ବିନୋଦ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କୃତ କରିଥିଲା ।

ପୁଲକିତଙ୍କ ରିସର୍ଟରେ ଅଙ୍କିତା ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ । ଅଙ୍କିତାଙ୍କୁ ଦେହ ବେପାର କରିବାକୁ ପୁଲକିତ ଚାପ ପକାଉଥିଲେ । ଏପରି କରିବାକୁ ଅଙ୍କିତା ମନା କରିଥିଲେ ଏବଂ ତାଙ୍କର ଏଭଳି ପ୍ରସ୍ତାବକୁ ସେ ସାର୍ବଜନୀନ କରିଦେବେ ବୋଲି ପୁଲକିତଙ୍କୁ ଚେତାବନୀ ଦେଇଥିଲେ । ଏଥିପାଇଁ ଅଙ୍କିତାଙ୍କୁ ସେ ଏକ କେନାଲକୁ ଠେଲି ହତ୍ୟା କରିଥିଲେ ବୋଲି ପୁଲକିତ ପୋଲିସ ଆଗରେ ସ୍ବୀକାର କରିଥିଲେ ।