Odia News Portal

ଅଣସର ଘରେ ଚାଲିଛି ତିନି ଠାକୁରଙ୍କ ଗୁପ୍ତ ନୀତି

ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଅଣସର ଘରେ ତିନି ଠାକୁରଙ୍କ ଗୁପ୍ତ ସେବା ନୀତି ଚାଲିଛି। ନୀତି କାନ୍ତି ଅନୁସାରେ ସେବାୟତମାନେ ମହାପ୍ରଭୁଙ୍କ ସେବା କରୁଛନ୍ତି। ମହାପ୍ରଭୁ ଜ୍ୱରରେ ପୀଡ଼ିତ ଥିବାରୁ ସିଂହ ଦ୍ୱାରରେ ଏବେ ପଡ଼ିଛି ତାଲା। ମନ୍ଦିର ଲାଗୁଛି ଖାଁ ଖାଁ। ଆଗପରି ଭକ୍ତଙ୍କର ଆଉ ଗହଳି ଚହଳି ନାହିଁ। ଏବେ ପୂଜା ପାଉଛନ୍ତି ପଟି ଦେବତା।

୧୪୭୫ ମସିହାରୁ ବାରିପଦା ବଡ଼ ଦାଣ୍ଡରେ ଶୋଭାପାଉଛି ପ୍ରଭୁ ହରିବଳଦେବଜୀୟୁ ବିଜେଙ୍କ ମନ୍ଦିର। ବଡ଼ଭାଇ ବଳଭଦ୍ର, ଭଉଣୀ ମାଆ ସୁଭଦ୍ରାଙ୍କ ସହିତ ପୂଜା ପାଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିର ରୀତିନୀତି ଅନୁସାରେ ପ୍ରାୟତଃ ପୂଜା ପାଠ ହୋଇଥାଏ। ଶ୍ରୀମନ୍ଦିର ପରି ଏଠାରେ ତିନି ଠାକୁର ଅତ୍ୟଧିକ ସ୍ନାନ କରିଥିବାରୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେଥିପାଇଁ ସିଂହ ଦ୍ଵାରରେ ପଡିଛି ତାଲା। ମନ୍ଦିର ସମ୍ମୁଖରେ ପୂର୍ବ ପରି ଭକ୍ତଙ୍କ ସମାଗମ ନାହିଁ କି ମନ୍ଦିର ବେଢ଼ାରେ ଗହଳି ଚହଳି ନାହିଁ। ଏବେ ପୂଜା ପାଉଛନ୍ତି ପଟି ଦିଅଁ।

ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଶ୍ରୀ ନାରାୟଣ, ଶ୍ରୀବଳଦେବଙ୍କ ବାଡାରେ ମହାରୂଦ୍ର ଓ ମା’ ଶୁଭଦ୍ରାଙ୍କ ବାଡାରେ ଭୁବନେଶ୍ଵରୀ ଏବେ ପୂଜା ପାଉଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ପଟି ଦିଅଁକୁ ଦର୍ଶନ କରୁଛନ୍ତି। ସେପଟେ ତିନିଠାକୁର କେମିତି ଶୀଘ୍ର ସୁସ୍ଥ ହେବେ, ସେଥିପାଇଁ ଆରମ୍ଭ ହୋଇଛି ଔଷଧୀୟ ସେବା। ରୀତିନୀତି ଅନୁସାରେ ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ନିର୍ମାଣଠାରୁ ଆରମ୍ଭ କରି ମନ୍ଦିରକୁ ସଫେଇ ପ୍ରମୁଖ ଚାଲିଛି।

ପରମ୍ପରା ଅନୁଯାୟୀ ବାରିପଦାରେ ପୁରୀ ରଥଯାତ୍ରାର ଦିନକ ପରେ ରଥ ଟଣା ହୋଇଥାଏ। କେବଳ ମହିଳାମାନେ ମା’ ଶୁଭଦ୍ରାଙ୍କ ରଥକୁ ଟାଣି ନିଅନ୍ତି। ନୀତି ଓ ପରମ୍ପରା ଅନୁସାରେ ବାରିପଦାରେ ତିନି ଠାକୁରଙ୍କ ନବ କଳେବର ହୋଇନଥାଏ। କିନ୍ତୁ ଜଗନ୍ନାଥ ସଂସ୍କୃତିର ପାଖାପାଖି ସମସ୍ତ ପରମ୍ପରା ଓ ରୀତିନୀତି ବାରିପଦାରେ ପାଳିତ ହୋଇଥାଏ।