Odia News Portal

ଅଣ୍ଡର୍‌-୧୭ ଫିଫା ମହିଳା ବିଶ୍ୱକପ୍‌: ଭାରତର ହ୍ୟାଟ୍ରିକ୍ ପରାଜୟ

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଅଣ୍ଡର୍‌-୧୭ ଫିଫା ମହିଳା ବିଶ୍ୱକପ୍‌ରେ ସୋମବାର ଗ୍ରୁପ୍‌-ଏ’ ଓ ଗ୍ରୁପ୍‌-ବି’ର ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳାଯାଇଛି । ଦିନର ପ୍ରଥମ ମ୍ୟାଚ୍‌ଟି ଗ୍ରୁପ୍‌-ବି’ର ନାଇଜେରିଆ ଓ ଚିଲି ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ ନାଇଜେରିଆ ୨-୧ ଗୋଲ୍‌ରେ ବିଜୟୀ ହୋଇ ଗ୍ରୁପ୍‌-ବି’ର ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଏହି ଗ୍ରୁପ୍ ଶୀର୍ଷରେ ଜର୍ମାନୀ ରହିଥିବା ବେଳେ ଚିଲି ଓ ନ୍ୟୁଜିଲାଣ୍ଡ୍ ବିଦାୟ ନେଇଛନ୍ତି । ସେହିପରି ଗ୍ରୁପ୍‌-ଏ’ରୁ ଆମେରିକା ଓ ବ୍ରାଜିଲ୍ କ୍ୱାର୍ଟର୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ପୂର୍ବରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର’ ଖେଳିଥିବା ବ୍ରାଜିଲ୍ ସୋମବାର ଭାରତକୁ ୫-୦ ଗୋଲ୍‌ରେ ହରାଇ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଦ୍ୱିତୀୟ ବିଜୟ ସହ ଆମେରିକା ଉନ୍ନତ ଗୋଲ୍ ବ୍ୟବଧାନରେ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଦଖଲ କରିଛି ।

ସେହିପରି ସୋମବାର ଆୟୋଜକ ଭାରତ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି । ଦଳ ତୃତୀୟ ତଥା ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ବ୍ରାଜିଲ୍‌ଠାରୁ ପରାସ୍ତ ହେବା ଫଳରେ ପ୍ରତିଯୋଗିତାରେ ଗୋଲ୍ ଖାତା ବି ଖୋଲିପାରିନାହିଁ । ସୋମବାରର ପ୍ରଥମ ମ୍ୟାଚ୍‌ରେ ନାଇଜେରିଆ ପକ୍ଷରୁ ପ୍ରଥମାର୍ଦ୍ଧ ଖେଳରେ ଚତୁର୍ଥ ମିନିଟ୍‌ରେ ବ୍ଲେସିଙ୍ଗ୍ ଏମାନୁଏଲ୍ ପ୍ରଥମ ଗୋଲ୍ ଦେଇଥିଲେ । ପରେ ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‌ର ୮୨ତମ ମିନିଟ୍‌ରେ ବିସୋଲା ମୋସାକୁ ଦ୍ୱିତୀୟ ଗୋଲ୍ ଦେଇ ନାଇଜେରିଆର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଅନ୍ୟପକ୍ଷରେ ଚିଲି ପକ୍ଷରୁ ଇନ୍‌ଜୁରୀ ଟାଇମ୍‌ରେ ଅର୍ଥାତ୍ ୯୦+୧ତମ ମିନିଟ୍‌ରେ ପେନାଲ୍‌ଟିରୁ ଟାଲି ରୋଭନର୍ ଗୋଲ୍ ସ୍କୋର୍ କରିଥିଲେ ।

ସେହିପରି ଦିନର ଦ୍ୱିତୀୟ ମ୍ୟାଚ୍‌ରେ ବ୍ରାଜିଲ୍ ପକ୍ଷରୁ ଏକାଦଶ ମିନିଟ୍‌ରେ ଗାବ୍ରିଏଲ୍ ବେର୍ଚୋନ୍ ଜୁନ୍‌କ୍ୱିରା ପ୍ରଥମ ଗୋଲ୍ ଦେଇଥିଲେ । ପରେ ୪୦ତମ ଓ ୫୧ତମ ମିନିଟ୍‌ରେ ଆଲାଇନ୍ ଗୋମ୍ସ ଆମାରୋ ଦୁଇଟି ଗୋଲ୍ ଦେବା ଫଳରେ ବ୍ରାଜିଲ୍ ୩-୦ରେ ଆଗୁଆ ରହିଥିଲା । ଏହାଛଡ଼ା ୮୬ତମ ଓ ଇନ୍‌ଜୁରୀ ଟାଇମ୍‌ରେ ଅର୍ଥାତ୍ ୯୦+୩ତମ ମିନିଟ୍‌ରେ ଲାରା ଡାଣ୍ଟାସ୍ ଫେରେରା ଡୋସ୍ ସାଣ୍ଟୋସ୍ ଦଳ ପକ୍ଷରୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ଗୋଲ୍ ସ୍କୋର୍ କରିଥିଲେ । ୭୫ ପ୍ରତିଶତ ସମୟରେ ବଲ୍‌କୁ ନିଜ କବ୍‌ଜାରେ ରଖି ବ୍ରାଜିଲ୍ ସମଗ୍ର ମ୍ୟାଚ୍‌ରେ ତା’ର ଆଧିପତ୍ୟ ବିସ୍ତାର କରିଥିଲା । ସେହିପରି ବ୍ରାଜିଲ୍ ଖେଳାଳିମାନେ ଭାରତୀୟ ଗୋଲ୍‌ପୋଷ୍ଟ୍ ଉପରେ ୩୦ ଥର ଆକ୍ରମଣ କରିଥିବା ବେଳେ ଭାରତୀୟ ଖେଳାଳିମାନେ ପ୍ରତିପକ୍ଷ ଗୋଲ୍‌ପୋଷ୍ଟ୍ ଉପରେ ୨ ଥର ଆକ୍ରମଣ କରିଥିଲେ ।