Odia News Portal

ଅବହେଳିତ ନାରାୟଣପୁର ଯାତାୟାତ ପାଇଁ ଭରସା ବିଦ୍ୟୁତ୍‌ ଖୁଣ୍ଟ

ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତରେ ଥିବା ନାରାୟଣପୁର ଗାଁ ଅବହେଳିତ। ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଏହି ଗାଁ ଉପରେ କାହାର ନଜର ପଡ଼ୁନି। କେବଳ ଭୋଟ୍‌ ବେଳେ ଲୋକଙ୍କୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଉଛି। ସେପଟେ ଗାଁ ନିକଟରେ ଥିବା ନାଳରେ ପୋଲ ନ ଥିବାରୁ ଛାତ୍ରଛାତ୍ରୀମାନେ ବିପଜ୍ଜନକ ଅବସ୍ଥାରେ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି। ଦୁଇଟି ସିମେଣ୍ଟ୍‌ ବିଦ୍ୟୁତ୍‌ ଖୁଣ୍ଟ ସେମାନଙ୍କ ଯାତାୟାତର ମାଧ୍ୟମ ପାଲଟିଛି। ସୂଚନା ମୁତାବକ, ବନ୍ତଳା ପଞ୍ଚାୟତ ନାରାୟଣପୁରରେ ପ୍ରାୟ ୨୨ ପରିବାର ରହୁଛନ୍ତି। ଏହି ଗାଁ ଛୋଟ ହୋଇଥିବାରୁ ବିଭିନ୍ନ ସମୟରେ ଅବହେଳିତ ହୋଇ ରହିଛି। ଗ୍ରାମବାସୀ ଏ ପର୍ଯ୍ୟନ୍ତ ପକ୍କାରାସ୍ତା ଦେଖି ନଥିବା ବେଳେ ବର୍ଷା ଦିନରେ ଗାଁକୁ ଯିବା ସମ୍ଭବ ହେଉନି। ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ଗାଁର ଛାତ୍ରଛାତ୍ରୀ। ନାରାୟଣପୁର ଗାଁରେ ବିଦ୍ୟାଳୟ ନ ଥିବାରୁ ସେମାନେ କୁମୁରିସିଂହା ପଞ୍ଚାୟତ ଗଡ଼ତଇଳା ବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି। ତେବେ ଯିବା ବେଳେ ଗାଁ ନିକଟରେ ଥିବା ଟାକୁଆ ନାଳ ଛାତ୍ରଛାତ୍ରୀଙ୍କ ପାଇଁ କାଳ ସାଜିଛି। ନାଳରେ ପୋଲ ନିର୍ମାଣ ହେଉ ନ ଥିବାରୁ ବିପଜ୍ଜନକ ଅବସ୍ଥାରେ ୨୫ ଜଣ ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି।ନାଳରେ ଦୁଇଟି ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟ ପକାଇ ସେଥିରେ ଯାତାୟାତ  କରୁଛନ୍ତି। ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣାର ଆଶଙ୍କା ରହୁଛି। ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଉଥିବା ବେଳେ କେହି ଗୁରୁତ୍ବ ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି। ପୋଲ ନିର୍ମାଣ ପାଇଁ ଗାଁର ଜିତୁ ସିଂ, ସୁନିଆ କୁରୁ, ମନୋଜ କୁରୁ, ପ୍ରକାଶ ଗୁରୁ ପ୍ରମୁଖ ଦାବି କରିଛନ୍ତି।