Odia News Portal

ଅସନ୍ତୋଷ ଝାଡ଼ିଲେ ମୁଖ୍ୟମନ୍ତ୍ରୀ: ଯନ୍ତ୍ରୀ ବସିଛନ୍ତି, ଆଉଟ୍‌ସୋର୍ସିଂ କାହିଁକି

ପୂର୍ତ୍ତ ବିଭାଗରୁ ଆରମ୍ଭ କରି ଜଳସମ୍ପଦ ବିଭାଗରେ ମୁଖ୍ୟ ଯନ୍ତ୍ରୀ ଡିଜାଇନ୍, ମୁଖ୍ୟ ଯନ୍ତ୍ରୀ ପ୍ଲାନିଂ ଭଳି ପଦବି ଅଛି। ସେଥିରେ ମୁଖ୍ୟ ଯନ୍ତ୍ରୀମାନେ ଦାୟିତ୍ବରେ ଥିବାବେଳେ ତାଙ୍କ ଅଧୀନରେ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଆଦି ଅଛନ୍ତି। ହେଲେ ରାଜ୍ୟରେ କୌଣସି ଛୋଟ/ବଡ଼ ପ୍ରକଳ୍ପ ହେଲେ ଆମର ଇଞ୍ଜିନିୟରମାନେ କୌଣସି ପ୍ଲାନିଂ, ଡିଜାଇନ୍ କରୁନାହାନ୍ତି। ଏପରିକି କେଉଁଠି କ’ଣ ପ୍ରକଳ୍ପ ହେବ, କେତେ ଟଙ୍କାର ଏଷ୍ଟିମେଟ୍ ହେବ, କେତେ ଦିନରେ ପ୍ରକଳ୍ପ ସରିବ, କିପରି ହେବ ସେନେଇ ଡିପିଆର୍ ପ୍ରସ୍ତୁତ କରିବା କାମ ବି କରୁନାହାନ୍ତି। ବିଭିନ୍ନ ପ୍ରକଳ୍ପର ସର୍ଭେ, ଅନୁସନ୍ଧାନ, ଡିଜାଇନ୍‌, ଏଷ୍ଟିମେଟ୍‌ ଓ ଡିପିଆର୍ ପ୍ରସ୍ତୁତି କାମ ସରକାରୀ ଇଞ୍ଜିନିୟରମାନେ ନକରି ବେସରକାରୀ ସଂସ୍ଥା ଦ୍ବାରା ଆଉଟ୍‌ସୋର୍ସିଂ ମାଧ୍ୟମରେ କରୁଛନ୍ତି। ସରକାରୀ ଇଞ୍ଜିନିୟରମାନେ ମାସକୁ ମାସ ଦରମା ନେଉଛନ୍ତି, କିନ୍ତୁ ତାଙ୍କ କାମ ଆଉ ଏକ ଘରୋଇ ସଂସ୍ଥା ଦ୍ବାରା କରୁଛନ୍ତି। ଏଥିପାଇଁ ବର୍ଷକୁ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ କେଉଁ ପ୍ରକଳ୍ପ କିପରି ହେବ, କେତେ ଅର୍ଥ ଖର୍ଚ୍ଚ ହେବ ତାହା ସରକାର ନିଷ୍ପତ୍ତି ନେବା ବଦଳରେ ଘରୋଇ ସଂସ୍ଥା ନେଉଛନ୍ତି।

ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନଜରକୁ ଆସିବା ପରେ ତନାଘନା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ନୋଟ୍‌ସିଟ୍ ମାଧ୍ୟମରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆମର ଦକ୍ଷ ଇଞ୍ଜିନିୟରମାନେ ବିଭିନ୍ନ ପ୍ରକଳ୍ପର ସର୍ଭେ, ଅନୁସନ୍ଧାନ, ଡିଜାଇନ୍‌, ଏଷ୍ଟିମେଟ୍‌ ଓ ଡିପିଆର୍ ପ୍ରସ୍ତୁତି  କାମ କରିବାକୁ ଥିବାବେଳେ କାହିଁକି ଆଉଟ୍‌ସୋର୍ସିଂ ସଂସ୍ଥାକୁ କାମ ଦିଆଯାଉଛି। ପୂର୍ବରୁ ସରକାରୀ ଇଞ୍ଜିନିୟରମାନେ ଏହି କାମ କରୁଥିବାବେଳେ କାହିଁକି ଏବେ ସେମାନେ କରୁନାହାନ୍ତି? ଏହା ପଛର କାରଣ ଅନୁସନ୍ଧାନ ହେବା ଦରକାର, ଏହାର ଭିତରି ରହସ୍ୟର ଅଭ୍ୟୁଦୟ ହେବା ଦରକାର। ଗତ ୧୦ବର୍ଷ ମଧ୍ୟରେ କେଉଁ କେଉଁ ବିଭାଗ କେ‌ଉଁ କେଉଁ ବେସରକାରୀ ସଂସ୍ଥାଙ୍କୁ ଆଉଟ୍‌ସୋର୍ସିଂ ମାଧ୍ୟମରେ କେଉଁ କେଉଁ ପ୍ରକାରର କାର୍ଯ୍ୟ କେତେ କେତେ  ମୂଲ୍ୟରେ ସମ୍ପାଦନ କରାଇଛନ୍ତି, ସେହି ବିଭାଗ ବା ରାଜ୍ୟର ଅନ୍ୟ କୌଣସି ବିଭାଗ ସେହି କାର୍ଯ୍ୟ ପାଇଁ ଦକ୍ଷ ଥିଲେ କି ନାହିଁ ଇତ୍ୟାଦି ତଥ୍ୟ ସଂଗ୍ରହ କରି ଗଭୀର ସମୀକ୍ଷା କରାଯାଉ। କେଉଁ ଉପାୟ ଅବଲମ୍ବନ କଲେ ଏବଂ କଣ ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେଲେ ଆମର ନିଜସ୍ବ ବିଭାଗଗୁଡ଼ିକ ସେହି ପ୍ରକାରର କାର୍ଯ୍ୟ ପାଇଁ ସକ୍ଷମ ହୋଇପାରିବେ ତାହାର ମତାମତ ସଂପୃକ୍ତ ବିଭାଗଗୁଡ଼ିକୁ ମଗାଯାଉ। 

ମୁଖ୍ୟମନ୍ତ୍ରୀ ଏହି ଚିଠିରେ ସରକାରୀ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ସରକାରୀ ପ୍ରକଳ୍ପଗୁଡ଼ିକର ବ୍ୟୟଭାର ଅଯଥାରେ ବଢ଼ିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଉ ଖୋଲାଖୋଲି କହିବାକୁ ଚାହିଁଛନ୍ତି, ଆମ ଯନ୍ତ୍ରୀମାନେ ଏହି ସବୁ କାମ କରିବା ପାଇଁ କ’ଣ ଆବଶ୍ୟକ କରୁଛନ୍ତି ତାହା ଜଣାନ୍ତୁ। ସବୁ ଯୋଗାଇଦେଲେ କାମ କରିବେ ବୋଲି କୁହନ୍ତୁ। ମୁଖ୍ୟମନ୍ତ୍ରୀ ମେ’ ୧୫ରେ ଏହି ଚିଠି ଲେଖି ମୁଖ୍ୟ ସଚିବଙ୍କ ଠାରୁ ମାସକ ମଧ୍ୟରେ ଅର୍ଥାତ୍ ଜୁନ୍ ୧୫ ସୁଦ୍ଧା ରିପୋର୍ଟ ମାଗିଥିଲେ। ଏହାପରେ ମୁଖ୍ୟ ସଚିବ ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କାର୍ଯ୍ୟ ହେଉଥିବା ବିଭାଗ ଯଥା ପୂର୍ତ୍ତ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଇଡ୍‌କୋ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଦିର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀମାନେ ୧୦ବର୍ଷର ପ୍ରକଳ୍ପ ତାଲିକା ଏବଂ ଆଉଟ୍‌ସୋର୍ସିଂ ସଂସ୍ଥାର ତାଲିକା, ସେମାନଙ୍କୁ କିପରି ଚୟନ କରାଗଲା, ସେମାନଙ୍କୁ କେତେ ଅର୍ଥ ଦିଆଯାଇଛି ତାହା ଦେଇପାରି ନଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯେଉଁ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ ମାସକ ପରେ ବି ତା’ର ଉତ୍ତର ପାଇପାରି ନାହାନ୍ତି।