ସାରା ରାଜ୍ୟରେ ଅନୁଭବ ହେଉଛି ପ୍ରଚଣ୍ଡ ଖରା। ଅଧିକାଂଶ ସ୍ଥାନ ସହ ରାଜଧାନୀରେ ଅସହ୍ୟ ତାତି ଜାରି ରହିଛି। ଅସହ୍ୟ ତାତି ପାଇଁ ଆଜି କଟକ ଓ ଭୁବନେଶ୍ୱରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ସ୍ୱଭାବିକ ତୁଳନାରେ ୬.୫ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ତାପମାତ୍ରା ରହିବ। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ କରି ସତର୍କ କରାଇଛି। ଅସହ୍ୟ ଗରମ ଓ ଗୁଳୁଗୁଳି ପାଇଁ ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ଯାଏ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ତତଲା କଡେଇରେ ଭାଜି ହେଉଛି ରାଜଧାନୀ। ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୪୩% ଥିବାରୁ ଅନୁଭବ ହେଉଛି ଅସହ୍ୟ ଗୁଳୁଗୁଳି। ସେହିପରି ପଶ୍ଚିମ ଓଡିଶାରେ ମଧ୍ୟ ଅସହ୍ୟ ତାତି। ସାଢେ ୧୧ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୧.୮ ଓ ହୀରାକୁଦ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ସକାଳ ସାଢେ ୮ଟାରୁ ଅସମ୍ଭାଳ ତାତି ଅନୁଭବ ହୋଇଛି। ଉପକୂଳରୁ ପଶ୍ଚିମ ଚାରି ଆଡେ ତାତି ପାଇଁ ସଭିଏଁ ହନ୍ତସନ୍ତ ହେଉଛନ୍ତି।