ଗ୍ରାମବାସୀଙ୍କୁ ଖଲାସ କରିବାକୁ ୪୮ ଘଣ୍ଟା ବାମନଘାଟୀ ବନ୍ଦ କରିଛି ଆଦିବାସୀ ଏକତା ମଞ୍ଚ | ମିଳିଥିବା ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅଞ୍ଚଳରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୀଡ଼ିତାଙ୍କ ଗ୍ରାମବାସୀ ବହଳଦା ଥାନା ଅନ୍ତର୍ଗତ ମୁର୍ମୁ ଛକଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ | ତେବେ ସେହି ସମୟରେ ଧାରଣା ଦେଇଥିବା ଲୋକଙ୍କୁ ପୁଲିସ ପକ୍ଷରୁ ଲାଠି ଚାର୍ଜ ହୋଇଥିଲା ଏବଂ ଉତ୍ୟକ୍ତ ଲୋକେ ମଧ୍ୟ ପୁଲିସ ଉପରେ ଆକ୍ରମଣ କରିଥିଲେ | ଯାହାଫଳରେ ୧୩ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ।ପରେ ପୁଲିସ ୩୪ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ଦାବିରେ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ବାମନଘାଟି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦିନ ଗଣଧାରଣାରେ ବସିଥିଲେ ।ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ମଞ୍ଚ ପକ୍ଷରୁ ୪୮ ଘଣ୍ଟାର ଚେତାବନୀ ଦେଇ ଗଣଧାରଣାରୁ ଓହରିଥିଲେ। ଏନେଇ ଆଜି ଆଦିବାସୀ ଏକତା ମଞ୍ଚ ଏବଂ ସର୍ବଦଳୀୟ ସମ୍ମତି କ୍ରମେ ଗିରଫ ମହିଳା ଓ ପୁରୁଷମାନଙ୍କୁ ଖଲାସ କରିବା ଦାବିରେ ଆସନ୍ତା ଆଜି ସକାଳ ୬ ଘଟିକାଠାରୁ ୨୨ ମାର୍ଚ୍ଚ ସକାଳ ୬ଟା ପର୍ଯ୍ୟନ୍ତ ବାମନଘାଟୀ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି ।ଉକ୍ତ ବନ୍ଦ ଡାକରାରେ ପ୍ରାୟ ୧୫ ଟି ଆଦିବାସୀ ସଂଗଠନର ସଦସ୍ୟମାନେ ସାମିଲ ହୋଇଛନ୍ତି । ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର, ଗୋରୁମହିଷାଣି, ବିଶୋଇ, ବିଜାତଳା, ବହଳଦା, ତିରିଂ, ଜାମଦା, କୁସୁମୀ, ବାଦାମପାହାଡ ପ୍ରଭୃତି ଅଞ୍ଚଳର ସମସ୍ତ ଦୋକାନ ବଜାର, ଯାନବାହନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ,ଖଣି ଖାଦାନ ପ୍ରଭୃତି ବନ୍ଦ କରାଯାଇଛି ।
