ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ। କମ୍ପିବ ଗୃହ । ମୁହାଁମୁହିଁ ହେବେ ଶାସକ-ବିରୋଧୀ । ସରକାରଙ୍କୁ ଘେରିବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । କାଉଣ୍ଟର ପାଇଁ ପୁରା ତୟାର ଶାସକ ଦଳ। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡାନ୍ତ ହୋଇଛି । ଆଇନଶୃଙ୍ଖଳା, ନାରୀ ନିର୍ଯ୍ୟତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି ବିଜେଡି । ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ ।
ନୂଆପଡା ଉପନିର୍ବାଚନରେ ଭୋଟ ଚୋରି ପ୍ରସଙ୍ଗ, ବେକାରୀ ସମସ୍ୟା, ନିଯୁକ୍ତରେ ଦୁର୍ନୀତି, ଦାଦନ, ଚାଷୀଙ୍କ ସମସ୍ୟା ଆଦି ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ତୟାର ରହିଛି ଶାସକ ଦଳ । ୧୬ ମାସର ସରକାରଙ୍କ ସଫଳତା ଓ ଲୋକପ୍ରିୟତା ବିଷୟରେ ଲୋକଙ୍କ ସାମ୍ନାରେ ଉପସ୍ଥାପନା କରିବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଜବାବ ରଖିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି । ନଭେମ୍ବର ୨୭ରୁ ବିଧାନସଭା ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ଅତିରିକ୍ତ ବଜେଟ୍ । ଆସନ୍ତା ୮ରେ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ଉପସ୍ଥାପନ ହେବ ।
