Odia News Portal

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ

ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଏ । ତେବେ ଏହି ଅବସରରେ ଶ୍ରୀମନ୍ଦିରରେ ସଂନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବା ନେଇ ପରମ୍ପରା ରହିଛି ।ସୂଚନା ଅନୁଯାୟୀ, ସଂନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ବାର ବନ୍ଦ କରାଯିବ। ଏହାପରେ ଟେରା ବନ୍ଧା ହେବା ସରିବା ପରେ ରୋଷ ଘରୁ ଜେଉଡ଼ ଭୋଗ ଅର୍ଥାତ୍ ଶାଗ, ତରକାରୀ, ପିଠା, ଝିଲି, ଖିରି ଆଦି ଆସି ଅଣସର ପିଣ୍ତିରେ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ । ଏହାପରେ ମୁଦରସ୍ତ ସେବାୟତ ମହାପ୍ରଭୁଙ୍କ ଅଙ୍ଗରେ ପ୍ରସାଦ ଲାଗି କରିବେ । ପୂଜା ପଣ୍ତା ସେବାୟତ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜା ପତି ମହାପାତ୍ର, ପୂଜା ପଣ୍ତା ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିବେ । ଏହାକୁ ‘ଗର୍ଭଉଦକ ବନ୍ଦାପନା’ କୁହାଯାଇଥାଏ । ସ୍ବୟଂ କାଳିଆ ଠାକୁର ଦେବକୀ ରୂପ ଧାରଣ କରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କ ନିକଟରେ ଜନ୍ମାଷ୍ଟମୀ ଦିନ ତାଙ୍କଠାରେ ଜେଉଡ଼ ପ୍ରସାଦ ଲାଗିକରାଯାଇଥାଏ ।ସେପଟେ ବନକଲାଗି ପରେ ଶ୍ରୀମନ୍ଦିର  ରୋଷଘର ଦର୍ଶନକୁ ନେଇ ମୁଣ୍ତ ଟେକିଛି ବିବାଦ । ମହାପ୍ରସାଦ ପ୍ରସ୍ତୁତ ହେଉଥିବା ବେଳେ ଭକ୍ତମାନେ ରୋଷଘରେ ପ୍ରବେଶ କରୁଥିବାରୁ ଅବଢା ପ୍ରସ୍ତୁତି ମାରା ହେଉଥିବା ଅଭିଯୋଗ କରିଛନ୍ତି ସୁଆର ମହାସୁଆର । ତେବେ ଯଦି ରୋଷଘର ଦର୍ଶନ ବନ୍ଦ ନକରାଯାଏ ତାହାଲେ ଅବଢା ପ୍ରସ୍ତୁତିରେ ବିଳମ୍ବ ହେବ, ଯାହା ଫଳରେ ଭକ୍ତମାନେ ମହାପ୍ରସାଦ ପାଇବାରେ ସମସ୍ୟା ଦେଖା ଦେବ ବୋଲି ସୁଆର ମହାସୁଆରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏନେଇ କୌଣସି ବିଭ୍ରାଟ ଦେଖା ଦେଲେ ଶ୍ରୀମନ୍ଦିର ପ୍ରଶାସନ ଏଥିଲାଗି ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।ସୁଆର ମହାସୁଆର ନିଯୋଗ ସଦସ୍ୟ କହିଛନ୍ତି ଯେ, ପୂର୍ବରୁ ଅବଢା ପ୍ରସ୍ତୁତି ପାଇଁ ବ୍ୟବହୃତ ପାଣି ତୁଣ ଆଦି ମାରା ହେଉଥିବାରୁ ଅବଢା ପ୍ରସ୍ତୁତିରେ ବିଘ୍ନ ଘଟୁଥିବାରୁ ରୋଷଘର ଦର୍ଶନକୁ ନେଇ ବିବାଦ ମୁଣ୍ତ ଟେକିଥିଲା । ତେବେ ମହାପ୍ରସାଦ ପ୍ରସ୍ତୁତ ବେଳେ ରୋଷଘର ଦର୍ଶନ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରମୁଖ, ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅପରପକ୍ଷେ ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ଅବଢା ପ୍ରସ୍ତୁତି  ସମୟରେ ରୋଷଘର ଦର୍ଶନକୁ ବନ୍ଦ କରାଯାଇଥିଲା । ଅବଢା ପ୍ରସ୍ତୁତ ପରେ ଅପରାହ୍ନରେ ଭକ୍ତମାନଙ୍କୁ ରୋଷଘର ଦର୍ଶନ ଅନୁମତି ମିଳୁଥିଲା । ତେବେ ଏହି ସମୟରେ ଅବଢା ପ୍ରସ୍ତୁତି କାର୍ଯ୍ୟ ବନ୍ଦ ରହିଥିବାରୁ ଭକ୍ତ ସୁରୁଖୁରୁରେ ଦର୍ଶନ କରି ଫେରୁଥିଲେ ।କିନ୍ତୁ ଚଳିତ ବର୍ଷ ରଥଯାତ୍ରା ପରେ ପୁଣି ଥରେ ସକାଳୁ ରୋଷଘର ଦର୍ଶନ ଆରମ୍ଭ ହୋଇଛି । ରୋଷଘର ଦର୍ଶନ ବେଳେ ଶ୍ରଦ୍ଧାଳୁମାନେ ଛୁଆଁଛୁଇଁ କରୁଥିବାରୁ ତୁଣ, ପାଣି ଆଦି ମାରା ହେଉଛି। ସାମଗ୍ରୀ ଯିବା ବାଟରେ ଲୋକେ ଛିଡ଼ା ହୋଇ ରହୁଥିବାରୁ ପାଣି, ତୁଣ ନେବାରେ ବି ବିଳମ୍ବ ହେଉଛି। ରୋଷଘର ଦର୍ଶନରେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଦ୍ବିପ୍ରହର ଧୂପ ସରିବା ପରେ ରୋଷଘର ଦର୍ଶନ ହେଉ ବୋଲି ସୁଆର ମହାସୁଆର ନିଯୋଗ ସଦସ୍ୟ କହିଛନ୍ତି ।