Odia News Portal

ଉତ୍କଳ ବିଶ୍ବବିଦ୍ୟାଳୟରେ ମହିଳା କର୍ମଚାରୀଙ୍କୁ ମାନସିକ ନିର୍ଯାତନା : ନିର୍ଯାତନା ଦେଉଥିବା ନେଇ ମହିଳା କର୍ମଚାରୀ ଆଣିଲେ ସାଂଘାତିକ ଅଭିଯୋଗ

ଉତ୍କଳ ବିଶ୍ବବିଦ୍ୟାଳୟରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ।  ପ୍ରମୁଖ ପଦବିରେ ଥିବା ଜଣେ ମହିଳା ଅଧିକାରୀ ମାନସିକ ନିର୍ଯାତନା ଦେଉଥିବା ନେଇ ମହିଳା କର୍ମଚାରୀ ଜଣକ ଅଭିଯୋଗ ଆଣିଛନ୍ତି ।  ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ନିକଟରେ ଏନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ।

ଏଥିସହ ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଓ ଉଚ୍ଚଶିକ୍ଷା ବିଭାଗକୁ ମଧ୍ୟ ମେଲ୍‌ ମାଧ୍ୟମରେ ଅବଗତ କରାଇଛନ୍ତି । ଅଭିଯୋଗ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା‌ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ପାଇଁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦଣ୍ଡପାଟ ଏକ କମିଟି ଗଠନ କରିଛନ୍ତି। ଏଥିସହ ଆଇସିସି ମଧ୍ୟ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଅଭିଯୋଗ ଆଣିଥିବା ମହିଳା ଜଣକ ଦର୍ଶାଇଛନ୍ତି ଯେ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଅସହ୍ୟ ହେବାରୁ ବାଧ୍ୟ ହୋଇ ମୁହଁ ଖୋଲୁଛି ।  ବିଶ୍ୱବିଦ୍ୟାଳୟରେ ପ୍ରାୟ ୫ ବର୍ଷ ଧରି ବିଶ୍ୱସ୍ତ ଓ ଉତ୍ସର୍ଗୀକୃତ କର୍ମଚାରୀ ଭାବେ କାର୍ଯ୍ୟ କରୁଛି ।  ବିଶ୍ୱବିଦ୍ୟାଳୟର ଉଚ୍ଚ ପଦବିରେ ଥିବା ଜଣେ ମହିଳା ଅଧିକାରୀ ନିରନ୍ତର ଭାବେ ଅଗ୍ରହଣୀୟ ଆଚରଣ କରୁଛନ୍ତି।

ମାସକ ତଳେ ମହିଳା ଅଧିକାରୀ ଜଣକ ବିଶ୍ବବିଦ୍ୟାଳୟରେ ଯୋଗଦେବା ପରଠାରୁ ହିଁ ନିର୍ଯାତନା ଦେଇ ଆସୁଛନ୍ତି। ତାଙ୍କର ମନ୍ତବ୍ୟ ଓ କାର୍ଯ୍ୟ ଏକ ପ୍ରତିକୂଳ ପରିବେଶ ସୃଷ୍ଟି କରିଛି, ଯାହାକି ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ସେ ଆହୁରି ଅଭିଯୋଗ କରିଛନ୍ତି, ଗତକାଲି ଅଫିସ୍‌ ସମୟ ପରେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ କୁଳପତିଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା।

ଏକ ଫାଇଲ୍‌ ସ୍ଥିତି ଉପରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ ଉପରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ବଦଳରେ ମହିଳା ଅଧିକାରୀଙ୍କ ବ୍ୟବହାର ଖରାପ ହୋଇଥିଲା। କୁଳପତି ଓ ଅନ୍ୟ ଅଧସ୍ତନ କର୍ମଚାରୀଙ୍କ ସମ୍ମୁଖରେ ମୋତେ ଅପମାନିତ କରାଯାଇଥିଲା। ନିଜକୁ ଅପମାନିତ ଓ ଅସମ୍ମାନିତ ଅନୁଭବ କରି ସେଠାରେ ଶାନ୍ତ ରହିବାକୁ ସଂଘର୍ଷ କରିଥିଲି। କୁଳପତିଙ୍କ ଚାମ୍ବର ଛାଡିବା ସମୟରେ ଆମ ଅନୁଷ୍ଠାନର ସଂସ୍କୃତି ଓ ବୃତ୍ତିଗତ ପରିବେଶରେ ଏପରି ଆଚରଣକୁ କିପରି ସହ୍ୟ କରାଯାଇପାରିବ ତାହା ଉପରେ ପ୍ରଶ୍ନ ଉଠାଇ ପାରିଲି ନାହିଁ ।

କୁଳପତିଙ୍କ କାର୍ଯ୍ୟାଳୟରେ ମିଳିଥିବା ମାନସିକ ଯନ୍ତ୍ରଣା ଦ୍ବାରା ଦିନତମାମ ଗତି କରୁଛି। ୧୫ ବର୍ଷର କ୍ୟାରିଅର ମଧ୍ୟରେ ଏତେ ବରିଷ୍ଠ ଅଧିକାରୀଙ୍କ ଅଧୀନରେ କାମ କରିଥିଲେ ମଧ୍ୟ ଏପରି ଅସହଯୋଗର ସମ୍ମୁଖୀନ ହୋଇ ନାହିଁ। ଗତକାଲିର ଘଟଣା ଏତେ ଯନ୍ତ୍ରଣାଦାୟକ ଥିଲା ଯେ ଏପର୍ଯ୍ୟନ୍ତ ଭୁଲିପାରୁ ନାହିଁ। ଆଦିବାସୀ ସମ୍ପ୍ରଦାୟରୁ ଆସି ସାଧାରଣ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଉଛି ।

ଏହି ପ୍ରସଙ୍ଗଗୁଡ଼ିକୁ ଆପଣଙ୍କ ଜ୍ଞାନକୁ ଆଣୁଛି, ଯାହାଦ୍ୱାରା ଆପଣ ଏହି ଘଟଣାର ତଦନ୍ତ କରିବା ସହ ନ୍ୟାୟ ଦେଇପାରିବେ। ଯଦି ଏପରି ଅନୈତିକ ଆଚରଣ ଜାରି ହୁଏ, ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ପଦବିରୁ ଅପସରି ଯିବି  ।   କାରଣ ମୁଁ ଏଠାରେ ଡେପୁଟେସନରେ ଅଛି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ନିୟମିତ କର୍ମଚାରୀ ନୁହେଁ। ଆପଣ ଏହି ସମସ୍ୟାକୁ ଯଥାର୍ଥ କରିବା ସହ ଏକ ଭଲ ପରିବେଶ ସୃଷ୍ଟି କରିବାକୁ ପଦକ୍ଷେପ ନେବେ ବୋଲି ମହିଳା କର୍ମଚାରୀ ଜଣକ କୁଳପତିଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି  ।  ଅଭିଯୋଗ ସମ୍ପର୍କରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦଣ୍ଡପାଟ କହିଛନ୍ତି ଯେ ଆଜି ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ ହୋଇଛି ।  କମିଟିର ସଦସ୍ୟମାନେ ତଦନ୍ତ କରି ରିପୋର୍ଟ ଦେବା‌ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିଶ୍ବବିଦ୍ୟାଳୟ ଆଇସିସି ମଧ୍ୟ ତଦନ୍ତ ଜାରି ରଖିଛି ।