ଉତ୍ତରପ୍ରଦେଶରେ ବଡ଼ ବନ୍ୟା: ୧୭ ଜିଲ୍ଲା ପ୍ରଭାବିତ By Swadhikar News Last updated Aug 5, 2025 ଉତ୍ତରପ୍ରଦେଶରେ ଏବେ ଲଗାଣ ବର୍ଷା ପାଇଁ ବନ୍ୟା ସ୍ଥିତି ଉପୁଜିଛି। ରାସ୍ତାଘାଟ ଜଳବନ୍ଦି ହୋଇଯାଇଛି। କାନପୁର ନଗର, ଲଖିମପୁର ଖେରି, ବାରଣାସୀ, ଆଗ୍ରା, ଔରେୟା, ଚିତ୍ରକୂଟ, ଫତେପୁର, ବାଲିଆ, ବାନ୍ଦା, ଗାଜିପୁର, ମିର୍ଜାପୁର, ପ୍ରୟାଗରାଜ , ଚନ୍ଦୌଲି, ଜଲୌନ, କାନପୁର ଦେହତ, ହମିରପୁର ଏବଂ ଇଟାୱା ସମେତ ୧୭ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ପ୍ରୟାଗରାଜ ଏବଂ ବାରାଣସୀରେ ଅତି ବିପଜ୍ଜନକ ସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା, ବଜ୍ରପାତ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବନ୍ୟା ପ୍ରବଣ ଜିଲ୍ଲାରେ ଅତି ଭଲଭାବେ ସ୍ଥିତି ଅନୁଧ୍ୟାନ କରିବାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୨ ପ୍ରଭାବିତ ଜିଲ୍ଲାରେ ୧୧ ଜଣିଆ ମନ୍ତ୍ରୀ ଦଳ ମୁତୟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀଦଳଙ୍କୁ ମୁତୟନ କରିବା ସହ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି। ରିଲିଫ୍ କମିସନର ଭାନୁ ଚନ୍ଦ୍ର ଗୋସ୍ବାମୀ କହିଛନ୍ତି, ବନ୍ୟା ୧୭ ଜିଲ୍ଲାରେ ୩୭ ତହସିଲ୍, ୪୦୨ ଗ୍ରାମକୁ ପ୍ରଭାବିତ କରିଛି। ଜିଲ୍ଲା ପ୍ରଶାସନ ୪୭,୯୦୬ ଲୋକଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରିଛନ୍ତି। ବନ୍ୟା ଯୋଗୁଁ ୩୪୨ ଘର କ୍ଷତିଗ୍ରସ୍ତ ହୋଇଛି। ୪,୦୧୫ରୁ ଅଧିକ ହେକ୍ଟର ଚାଷଜମି ପାଣିରେ ବୁଡ଼ି ଯାଇଛି। ରିଲିଫ୍ ବଣ୍ଟନ ପାଇଁ ପ୍ରଶାସନ ୪୩୯ ବୋଟ୍ ଏବଂ ମୋଟର ବୋଟ୍ ମୁତୟନ କରିଛି। ବନ୍ୟା ପ୍ରବଣ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଏବଂ ପିଏସି ମୁତୟନ ହୋଇଛନ୍ତି। ପ୍ରୟାଗରାଜ, ମିର୍ଜାପୁର, ବାରାଣସୀ, ଗାଜିପୁର ଏବଂ ବାଲିଆ ଜିଲ୍ଲାରେ ଗଙ୍ଗା ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଔରେୟା, ଜଲୌନ, ହମିରପୁର, ବାନ୍ଦା ଏବଂ ପ୍ରୟାଗରାଜରେ ଯମୁନା ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ପ୍ରୟାଗରାଜ ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। ଇତି ମଧ୍ୟରେ ପ୍ରୟାଗରାଜରୁ ଏକ ହୃଦୟବିଦାରକ ଭିଡିଓ ଆସିଛି। ବାପା ମା’ ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ି ସେମାନଙ୍କ ଶିଶୁକୁ ଦୁଇ ହାତରେ ମୁଣ୍ଡ ଉପରେ ଟେକି ନେଉଥିବା ଦେଖିବାକୁ ମିଳିଛି। ସହରର ଛୋଟା ବାଗଦା ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି। ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଅନେକ ଶ୍ମଶାନସ୍ଥଳରେ ବନ୍ୟା ପାଣି ପଶିଯାଇଛି। ଏଥିପାଇଁ କର୍ତ୍ତୃପକ୍ଷ ଏବେ ରସୁଲାବାଦ ଘାଟରେ ସଂସ୍କାର କାର୍ଯ୍ୟ ବନ୍ଦ ରଖିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଆଜି ଲକ୍ଷ୍ନୌରେ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ୍ ବନ୍ଦ ରହିଛି। swadhikarswadhikar newsup flood Share