ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରୁଚାଳିତ ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ଅନିୟମିତତା ମାମଲାରେ ଜଣିକିଆ ବିଚାରପତିଙ୍କ ରାୟ ଉପରେ ଜାରି ହୋଇଥିବା ସ୍ଥଗିତାଦେଶକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି । ଆବେଦନକାରୀ କବିତା ଜେନା ଓ ଅନ୍ୟ ଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ପୂର୍ବ ରହିତାଦେଶକୁ ବଳବତ୍ତର ରଖିଛନ୍ତି । ଏହି ମାମଲାରେ ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଜଣିକିଆ ବିଚାରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ.ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ଏମ୍.ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ସମସ୍ତ ମାମଲାର ଏକତ୍ର ଶୁଣାଣି ଦୁର୍ଗାପୂଜା ଛୁଟି ପରେ ହେବ ବୋଲି ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଜଣିକିଆ ବିଚାରପତିଙ୍କ ରହିତାଦେଶକୁ ବଳବତ୍ତର ରଖିଛନ୍ତି । ହାଇକୋର୍ଟଙ୍କ ଜଣିକିଆ ବିଚାରପତି ଗତ ମଇ ୧୯ ତାରିଖରେ ଏଏସଓ ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ସମ୍ପର୍କିତ ଅଭିଯୋଗ ମାମଲାରେ ମେଧା ତାଲିକା ପ୍ରକାଶନ ଉପରେ ଅଙ୍କୁଶ ଲଗାଇଥିଲେ । ଦୁଇ ମାସ ମଧ୍ୟରେ ପୁଣି ଥରେ ପ୍ରାର୍ଥୀମାନଙ୍କ ସର୍ବମୋଟ ନମ୍ବର ଆଧାରରେ ମେଧା ତାଲିକା ପ୍ରକାଶ କରିବାକୁ ଆଦେଶ ଦେଇଥିଲେ ।