Odia News Portal

ଏସଟିଏଫ ଦ୍ବାରା ବାମରା ବନଖଣ୍ଡ ଅଞ୍ଚଳରୁ ୨ କଲରାପତ୍ରିଆ ବାଘ ଛାଳ ଜବତ, ଜଣେ ଗିରଫ

ଏସଟିଏଫ ଆଜି ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅନ୍ତର୍ଗତ ଠିଆନାଳାରୁ ଦୁଇଟି କଲରାପତ୍ରିଆ ବାଘ ଛାଳ ଜବତ କରିଛି। ଆଉ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବାମରା ବନଖଣ୍ଡର କୁଚିଣ୍ଡା- ବଣେଇଗଡ ରାସ୍ତାରେ ବାଘଛାଳ ଚାଲାଣ ହେଉଥିବା ନେଇ ଏସଟିଏଫ ସୂଚନା ପାଇଥିଲା। ଏନେଇ ଠିଆନାଳା ନିକଟରେ ଏସଟିଏଫ ଚଢାଉ କରି ଦେବଗଡ ଜିଲ୍ଲାର ଲଇମୁରା ଥାନା ପାହାଡମରା ଗାଁର ସଂକୀର୍ତ୍ତନ ମୁଣ୍ଡା ନାମକ ଜଣେ ଯୁବକକୁ ଅଟକ ରଖିଥିଲା। ତା ଠାରୁ ଦୁଇଟି ବାଘ ଛାଳ ଜବତ ହୋଇଥିଲା। ସେଥିରୁ ଗୋଟିଏ ଛାଳ ବାଘ ଛୁଆର ହୋଇଥିବା ଜଣାପଡିଛି। ସଂକୀର୍ତ୍ତନକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେହିପରି ଜବତ ଛାଳକୁ ଡେରାଡୁନ ସ୍ଥିତ ପରୀକ୍ଷାଗାରକୁ ପଠାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ସେପଟେ ଏହି ଅଞ୍ଚଳରୁ ଗତକାଲି ଏସଟିଏଫ ଏକ ଜୀବନ୍ତ ବଜ୍ରକାପ୍ତା ଚାଲାଣ ବେଳେ ଜବତ କରିଥିଲା।