Odia News Portal

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ମୃତ୍ୟୁସଂଖ୍ୟା ଟପିଲା ୨୦୦

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ମୃତ୍ୟୁସଂଖ୍ୟା ୨୦୪ ଛୁଇଁଥିବା ନେଇ ସୂଚନା ଦେଇଛନ୍ତି ଅହମ୍ମଦାବାଦ ପୁଲିସ କମିସନର । ଏହି ଦୁର୍ଘଟଣାରେ ଅନେକ ସ୍ଥାନୀୟ ଲୋକ ମଧ୍ୟ ହୋଇଛନ୍ତି । ସରାକାରୀ ସୂଚନା ମୁତାବକ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ।

ଆଜି(ଗୁରୁବାର) ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଉଡ଼ାଣ ଭରିଥିଲା । ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି ।  

ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ନିକଟବର୍ତ୍ତୀ ଏକ ଡାକ୍ତରୀ ଛାତ୍ର ହଷ୍ଟେଲ୍‌ କୋଠା ଉପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବିମାନ ଦୁର୍ଘଟଣାର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରେ ଦେଖାଯାଉଛି ଯେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଛି । ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର ପାଇଁ ଘଟଣା ସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିଛି । ଏହି ବଡ଼ ଧରଣର ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।