ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ଓଡ଼ିଶା ପୁଲିସର କ୍ରାଇମ୍ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୀତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୬ ଜଣ ଅଭିଯୁକ୍ତଙ୍କ ଗିରଫ ନେଇ କ୍ରାଇମବ୍ରାଞ୍ଚ ଡିଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଏଥିରେ ସମ୍ପୃକ୍ତି ରହିଛି। ତାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଯିବାର ପ୍ରମାଣ ମିଳିଛି। ଏହି ପ୍ରଶ୍ନପତ୍ର ଲିକ୍ ବାଲେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ବ୍ୟାପିଛି।
ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଆବଶ୍ୟକ ଯୋଗ୍ୟତା ହାସଲ ନିମନ୍ତେ ସୁଯୋଗ ଦେବାକୁ ଓଟିଇଟି ପରୀକ୍ଷା ହୋଇଥାନ୍ତା। ହେଲେ ପରୀକ୍ଷା ପୂର୍ବରୁ ବୋର୍ଡ ଏହାର ପ୍ରଶ୍ନପତ୍ର ଭାଇରାଲ ହେବା ପରେ ରାତି ଅଧିଆ ପରୀକ୍ଷାକୁ ସ୍ଥଗିତ ରଖିଥିଲା, ଯାହାକୁ ନେଇ ପରୀକ୍ଷାର୍ଥୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିନା ସୂଚନାରେ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା। ପରୀକ୍ଷା ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ଶତାଧିକ ପରୀକ୍ଷାର୍ଥୀ ନିଜନିଜ ପରୀକ୍ଷା କେନ୍ଦ୍ରକୁ ଆସୁଥିଲେ ହେଲେ ପରୀକ୍ଷା କେନ୍ଦ୍ର ଫାଟକରେ ତାଲା ଆଉ ଆଗରେ ଲାଗିଥିବା ନୋଟିସ ପରୀକ୍ଷାର୍ଥୀଙ୍କୁ ନିରାଶ କରିଥିଲା। ନୋଟିସରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ ହୋଇଥିବା ଉଲ୍ଲେଖ କରାଯାଇଥିବାବେଳେ, କାହିଁକି ଓ କେଉଁ କାରଣ ପାଇଁ ହଠାତ ପରୀକ୍ଷା ବାତିଲ ହେଲା ସେନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ରାତି ଅଧିଆ ପରୀକ୍ଷା ବାତିଲ କରାଯାଇଥିବାରୁ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ୬ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି।