Odia News Portal

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କୋର କମିଟି ବୈଠକରେ ସାମିଲ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲି (ରବିବାର) ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ସ୍ୱାଗତ କରିଥିଲେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ନୀତିନ ନବୀନଙ୍କର ପ୍ରଥମ ଓଡ଼ିଶା ଗସ୍ତ ।ନୀତିନ ନବୀନ ଆଜି (ସୋମବାର) ସକାଳ 8:30ରେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି । କୋର କମିଟିରେ ଦଳର ପ୍ରମୁଖ ଏବଂ ବରିଷ୍ଠ ନେତାମାନେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ପ୍ରମୁଖ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି । ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି କୋର କମିଟି ବୈଠକରେ ଉପସ୍ଥିତ ଅଛନ୍ତି ।ଏହି ବୈଠକର ମାତ୍ର ଦୁଇ ଘଣ୍ଟା ପରେ, 10:30ରେ ଆଇଆଇଟି ଜଟଣୀ ନିକଟସ୍ଥ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହା ଅଭିଯାନ-୨୦୨୬ ତାଲିମ ଶିବିରକୁ ମଧ୍ୟ ଉଦଘାଟନ କରିବେ ।ବୈଠକ ଏବଂ କାର୍ଯ୍ୟକ୍ରମ ପରେ, ନୀତିନ ନବୀନ ଅପରାହ୍ନ 1.15ରେ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀକୁ ଯାତ୍ରା କରିବେ । ଶ୍ରୀମନ୍ଦିରରେ ପୂଜା କରିବା ପରେ, ସେ ପୁରୀର ଲୋକସଭା ସାଂସଦ ତଥା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ତାଳବଣିଆ ମଧୁସୂଦନ ନଗର ସ୍ଥିତ ବାସଭବନକୁ ଯିବେ । ସମ୍ବିତ ପାତ୍ରଙ୍କ ବାସଭବନରେ, ନୀତିନ ନବୀନ ମହାପ୍ରଭୁଙ୍କ ପବିତ୍ର ‘ମହାପ୍ରସାଦ’ ସେବନ କରିବେ ।ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ ଏବଂ ମହାପ୍ରସାଦ ସେବନ କରିବା ପରେ, ନୀତିନ ନବୀନ ଭୁବନେଶ୍ୱର ଫେରିବେ । ଭୁବନେଶ୍ୱର ଫେରିବା ପରେ, ସେ ଅପରାହ୍ନ 4:00ଟାରେ ରାଜ୍ୟ ପଦାଧିକାରୀ ଏବଂ ବିଭିନ୍ନ ଦଳୀୟ ମୋର୍ଚ୍ଚାର ସଭାପତିମାନଙ୍କ ସହିତ ସାକ୍ଷାତ କରିବେ ଏବଂ ସଂଗଠନର କାର୍ଯ୍ୟକାରିତା ବୁଝିବେ । ଠିକ୍ ଦୁଇ ଘଣ୍ଟା ପରେ, ସନ୍ଧ୍ୟା 6ଟାରେ, ତାଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି । ସେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ । ଏହି ବୈଠକକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।