Odia News Portal

ଓଡିଶାରେ ପ୍ରଥମ ଥର ପାଇଁ ଝାରସୁଗୁଡା ଉପନିର୍ବାଚନରେ ସବୁ ବୁଥ୍‌ରେ ହେବ ୱେବକାଷ୍ଟିଂ : ମୁଖ୍ୟ ନିର୍ବାଚନ ଅଧିକାରୀ

ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଉପନିର୍ବାଚନ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଂ। ଝାରସୁଗୁଡ଼ା ଉପନିର୍ବାଚନରେ ଏହା କରାଯିବ, ଯାହା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି, ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଅଛି। ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି। ଦୁଇଟି ରାଜନୈତିକ ଦଳ ଠାରୁ ଆମେ ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗ ପାଇଛୁ। ଜିଲ୍ଲାପାଳ ବି ଏହି ଅଭିଯୋଗ ପାଇଛନ୍ତି। ସବୁର ତଦନ୍ତ ଚାଲିଛି। ମୁଁ ନିୟମିତ ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରୁଛି। ଆଜି ବି ସମୀକ୍ଷା କରିଥିଲି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି।