ରାଜଧାନୀ ଭୁବନେଶ୍ବରର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ଘଟଣା ଦିନର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ତାଙ୍କ ସାଙ୍ଗରେ ଥିବା ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୁଲିସ ତନାଘନା କରୁଛି। ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି।
ତାଙ୍କ ଝିଅକୁ ମାରି ଛାତ ଉପରୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜରେ ଉଭୟ ସାଙ୍ଗ ହୋଇ ଯାଉଥିବାର ଦୃଶ୍ୟ କଏଦ ହୋଇଛି। ପୁରୁଷବନ୍ଧୁଙ୍କୁ ଅଟକ ରଖି ଅଧିକ ପଚାରୁଚୁରା କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଜାଗମରା ସ୍ଥିତ “ଦାସ ଇନ୍” ନାମକ ଏକ ଓୟୋ ହୋଟେଲରୁ ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।
ମୃତ ଯୁବତୀଙ୍କ ନାମ ସୋନାଲି ମହାପାତ୍ର । ଘର ନୟାଗଡ଼ ଅଞ୍ଚଳରେ । ସେ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁଥିଲେ । ପୁରୁଷ ବନ୍ଧୁ ବିଭୁତି ପ୍ରତିହାରୀଙ୍କୁ ଏହି ମାମଲାରେ ପୁଲିସ ଅଟକ ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।