ଯେଉଁ ଦଳ ସତ୍ତାରୁ ବେଦଖଲ କଲା, ଆଉ ଏମିତି କଲା ଯେ… ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ‘ହାତ’ ଓଡ଼ିଶାରେ ଉଠିପାରିନି । ଚେଷ୍ଟା ତ ବହୁତ ହୋଇଛି ହେଲେ ସବୁ କିନ୍ତୁ ଫେଲ୍ । କିନ୍ତୁ ସମୟ ଗଡ଼ିବା ସହ, ଏବେ ସେହି ଦଳ ଆଉ କଂଗ୍ରେସ ପାଇଁ ଅଛୁଆଁ ନୁହେଁ । ଯେଉଁ ଦଳ ସରକାରରେ ଥିଲାବେଳେ, କଂଗ୍ରେସ ତାକୁ ଦୁର୍ନୀତିରେ ପାହାଡ଼ରେ ପୋତି ଦେଇଥିଲା; ଏବେ ସେହି ଦଳର ହାତ ଧରି ସରକାର ଭାଙ୍ଗିବାକୁ ଆହ୍ୱାନ ଦେଇଛନ୍ତି ଖୋଦ୍ ‘ହାତ’ ମୁଖିଆ । ପାଠକବନ୍ଧୁ, ଆମେ କହୁଛୁ ଓଡ଼ିଶାରେ ବିଜେଡି ଆଉ କଂଗ୍ରେସର ରାଜନୈତିକ ସମ୍ପର୍କ ବିଷୟରେ ।
ଆପଣ ଭଲ ଭାବେ ଜାଣିଥିବେ ଯେ, କଂଗ୍ରେସ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ଦିନେ ଜନ୍ମ ନେଇଥିଲା ଜନତା ଦଳ । ଆଉ ସେହି ଜନତା ଦଳରୁ ସୃଷ୍ଟି ହୋଇଛି ବିଜୁ ଜନତା ଦଳ । ହେଲେ ଏବେ କିନ୍ତୁ ଏହି ଦୁଇ ବିରୋଧୀ ତତ୍ତ୍ୱ ପୁଣି ଏକାଠି ହେବା ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ବଢ଼ିଛି ।
୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଦୀର୍ଘ ସମୟ ଧରି କଂଗ୍ରେସର ଶାସନ ରହିଆସିଥିଲା । ହେଲେ ଯେବେଠୁ ଓଡ଼ିଶାରେ ବିଜୁ ଜନତା ଦଳ ଗଠନ ହେଲା, ସେବେଠୁ ଆଜି ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ସତ୍ତାରୁ ବାହାରେ ରହିଛି କଂଗ୍ରେସ । ଏବେ କିନ୍ତୁ ଓଡ଼ିଶାରେ ରାଜନୀତିର ହାଓ୍ୱା କିଛି ଭିନ୍ନ ଦିଗରେ ବୋହିବା ଆରମ୍ଭ କରିଛି । ସରକାରରେ ଯେତେବେଳେ ବିଜେପି ବସିଛି, ସେତେବେଳେ ପଦ୍ମକୁ ଶାସନର ଗାଦିରୁ ହଟାଇବାକୁ ‘ହାତ’ ଆଉ ‘ଶଙ୍ଖ’ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ଭକ୍ତ ଦାସ । ହେଲେ ରାଜନୀତିରେ ରୁଚି ରଖୁଥିବା ଲୋକ କିନ୍ତୁ କହିବା ଆରମ୍ଭ କଲେଣି ଯେ, ଯେଉଁ କଂଗ୍ରେସ ଦଳ ଦିନେ ବିଜେଡିକୁ ଦୁର୍ନୀତିର ପାହାଡ଼ରେ ପୋତିଥିଲା, ଏବେ କେମିତି ତା ସହ ମିତ ବସିବାକୁ ରାଜି ହୋଇଗଲା?
ଓଡ଼ିଶାରେ ଏବେ ଦୁଷ୍କର୍ମ ଆଉ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ଅଛି । ଆଉ ତତଲା ଲୁହାରେ ପାଣି ଢାଳିଲା ଭଳି, ବିଜେଡିକୁ ଏହି ସମୟରେ ଖୋଲା ଅଫର୍ ଦେଇଛନ୍ତି କଂଗ୍ରେସ ମୁଖିଆ । ବର୍ଷକର ମୋହନ ସରକାର ଏବେ ବ୍ୟାକଫୁଟରେ ଅଛି, ତେଣୁ ଏତିକିବେଳେ ସରକାର ବିରୋଧରେ ଅନାସ୍ଥା ଆଣିବାକୁ ପ୍ଲାନ୍ ଦେଇଛନ୍ତି ଭକ୍ତ । ବିଜେଡିର ୫୧ ବିଧାୟକଙ୍କ ସହ କଂଗ୍ରେସର ୧୪ ବିଧାୟକଙ୍କୁ ମିଶାଇ ମୋହନ ସରକାର ଭାଙ୍ଗିବାକୁ, ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ଆଣିବାକୁ ପିସିସି ସଭାପତି ଭକ୍ତ ଦାସ ପ୍ରେସମିଟ୍ରେ ଖୋଲାଖୋଲି କହିଛନ୍ତି । ହେଲେ ବଡ଼ ପ୍ରଶ୍ନ ହେଲା, କଂଗ୍ରେସର ଏ ଅଫରକୁ ଗ୍ରହଣ କରିବ କି ବିଜୁ ଜନତା ଦଳ?
ଏଥର ନିର୍ବାଚନ ପୂର୍ବରୁ ଗୋଟିଏ ସମୟ ଥିଲା, ଯେତେବେଳେ ଚର୍ଚ୍ଚା ହେଲା ବିଜେପି ସହ ବିଜେଡି ଏକାଠି ହୋଇ ନିର୍ବାଚନ ଲଢ଼ିବ । ହେଲେ ଦୁଇ ଦଳ ଭିତରେ କିନ୍ତୁ ମେଣ୍ଟ ହୋଇପାରିଲାନି । ଶେଷରେ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିଲେ । ଆଉ ନିର୍ବାଚନର ରେଜଲ୍ଟ ଯାହା ଆସିଲା, ତାହା ବିଜେଡି ପାଇଁ ଏକଦମ୍ ନୂଆ ଥିଲା । ପ୍ରଥମ ଥର ପାଇଁ ସତ୍ତାରୁ ହଟିଥିଲା ବିଜେଡି ଆଉ ଗାଦି ଅକ୍ତିଆର କରିଥିଲା ବିଜେପି । ତେବେ ଏହା ଭିତରେ ମହାନଦୀରେ ଅନେକ ପାଣି ବୋହିସାରିଛି, ଆଉ ତା ଭିତରେ ଓଡ଼ିଶାର ରାଜନୀତିର ଦିଗ ମଧ୍ୟ ବଦଳିଛି । କ୍ଷମତାର ଦଖଲ ପାଇଁ ଗୋଟିଏ ପଟେ ବିଜେପି ଥିବାବେଳେ, ଅନ୍ୟପଟେ ବିରୋଧୀ ଆସନରେ ଅଛନ୍ତି ବିଜେଡି ଆଉ କଂଗ୍ରେସ । ତେଣୁ ଏବେ ଦୁଇ ବିରୋଧୀ ଏକାଠି ହୋଇ ବିଜେପି ବିରୋଧରେ ଲଢ଼ିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ବଢ଼ିଛି ।