Odia News Portal

କରୋନାର କମବ୍ୟାକ୍ । ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ, ମୁମ୍ବାଇରେ ୨ ଜଣଙ୍କର ମୃତ୍ୟୁ

ସାରା ବିଶ୍ୱକୁ ପୁଣି ଭୟଭୀତ କରିଛି କରୋନା ଭୂତାଣୁ । କିଛି ବର୍ଷର ବିରତି ପରେ ପୁଣି ସାରା ବିଶ୍ୱକୁ କବଳିତ କରିବାକୁ ଯାଉଛି ଏହି ଘାତକ ଭୁତାଣୁ । ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭୂତାଣୁ । ଏହାସହ ଆଜି ଆମ ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯେଉଁ ସୂଚନା ଦେଇଛି ତାହା ଦେଶବାସୀଙ୍କୁ ପୁଣି ଥରେ ୨୦୨୦ ମସିହାରେ ଆରମ୍ଭ ହୋଇଥିବା କରୋନାର ତାଣ୍ଡବ ଲୀଳାକୁ ମନେ ପକାଇ ଦେଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ମୁତାବକ ଆଜି ଦେଶରେ ୨୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁ୍ମ୍ବାଇରେ କରୋନା ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ ମୃତକ ୨ ଜଣ ପୂର୍ବରୁ ଗମ୍ଭୀର ରୋଗରେ ପୀଡିତ ଥିଲେ । ଏହାସହ ତାଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ଭାରତରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମତିଙ୍କ ଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ମୁମ୍ବାଇରେ ଦୁଇ କରୋନା ଆକ୍ରାନ୍ତଙ୍କ ପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି, ଏହା କୋଭିଡ୍‌ର ନୂଆ ଭାରିଆଣ୍ଟ ନୁହେଁ । ଏହା ଓମିକ୍ରନର ସବଭାରିଆଣ୍ଟ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି କି ଆମ ସହ ଆଲୋଚନା କରିନାହାନ୍ତି । ଏଠି କେହି ଚି଼ହ୍ନଟ ହେଲେ, ଜେନମ ସିକୁଏନସିଂ କରାଯିବ । ତାମିଲନାଡୁ, କେରଳ, ଦିଲ୍ଲୀରେ ଯେଉଁ କେସ୍‌ ଆସିଛି ତାହା ସେହି ସବଭାରିଆଣ୍ଟ । ମୁମ୍ବାଇରେ ଯାହାର ମୃତ୍ୟୁ ହୋଇଛି, ତାଙ୍କ କିଡ଼ନୀ ରୋଗ ଥିଲା । ଏହା କୋମର୍ଭିଡ଼ ପରିସ୍ଥିତି ।