Odia News Portal

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁତୟନ ହେବେ ୧୩୩ ପ୍ଲାଟୁନ ପୁଲିସ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ବର ଜନତା ମଇଦାନକୁ ବିରାଟ ରୋଡ୍‌ ସୋ’ରେ ଯାଇ ମୋହନ ମାଝୀ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କିପରି ହୋଇଛି ପ୍ରସ୍ତୁତି, ସେନେଇ ସମୀକ୍ଷା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନତା ମଇଦାନକୁ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି । ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ଓ ବିଭିନ୍ନ ବିଭାଗର ମନ୍ତ୍ରୀ ବୁଲି ଦେଖିଛନ୍ତି । କାଲି ମୋଦୀ ଷଷ୍ଠଥର ପାଇଁ ଓଡ଼ିଶା ଆସୁଛନ୍ତି । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଜନତା ମଇଦାନରେ ବିରାଟ ସମାବେଶ ଆୟୋଜନ କରାଯାଇଛି । ପ୍ରାୟ ୫୦ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି ।


କାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂର୍ତ୍ତି ହୋଇଛି । ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ବିଧିବଦ୍ଧ ଭାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଶୁକ୍ରବାର ଉତ୍ତର ପ୍ରଦେଶର କୁଶିନଗରରୁ ବାହାରି ଅପରାହ୍ଣ ୩.୪୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ନରେନ୍ଦ୍ର ମୋଦୀ ।  

ଭୁବନେଶ୍ୱରରେ ପହଞ୍ଚିବା ପରେ ୩.୪୫ ମିନିଟ୍‌ରେ ଏୟାରପୋର୍ଟରୁ ଜନତା ମୈଦାନ ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିବେ ପ୍ରଧାନମନ୍ତ୍ରୀ । ୪.୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୪.୧୫ରୁ ୫.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ସରକାରଙ୍କ ଉପଲବ୍ଧି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ଏହାପରେ ୫.୩୫ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍‌ ଭୁବନେଶ୍ୱର ଅଭିମୁଖେ ବାହାରିବ । ୫.୪୫ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ମୋଦୀ ।