କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଞ୍ଚିରେ ପାଳନ ହେଉଥିବା ବିର୍ସା ମୁଣ୍ଡା ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ରାଉରକେଲାରେ ପାଳନ ହେଉଥିବା ଜନଜାତୀୟ ଗୌରବ ଦିବସ ସମାରୋହରେ ଅନୁପସ୍ଥିତ ଥିଲେ। ହେଲେ ମୁଖ୍ୟମନ୍ତ୍ରୀ କିନ୍ତୁ ମଞ୍ଚରେ ତାଙ୍କୁ ଆଦୌ ଭୁଲି ନଥିଲେ। ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। କହିଥିଲେ, ଜୁଏଲ ଜଣେ ଆଦିବାସୀ ଟାଣୁଆ ନେତା। କେବଳ ରାଜ୍ୟ ନୁହେଁ ଦେଶର ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଆଦିବାସୀ ମନ୍ତ୍ରୀ କରିଛନ୍ତି। ତାଙ୍କ ନେତୃତ୍ବରେ ଜିଲ୍ଲାରେ ଆଦିବାସୀଙ୍କ ବିକାଶ ହେଉଛି। ସଭା ଚାଲିଥିବାବେଳେ କିଛିଲୋକ ବାହାରେ ଠିଆହୋଇ କଥା ହେଉଥିଲେ। ଭାଷଣ ଦେଉଥିଲାବେଳେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଏମିତି ଦୃଶ୍ୟ ପଡ଼ିଯାଇଥିଲା। ମଞ୍ଚ ଉପରେ ଜିଲ୍ଲାପାଳଙ୍କୁ ଡାକି ଛିଡାହୋଇଥିବା ଲୋକଙ୍କୁ ଆସନରେ ବସାଇବାକୁ କହିଥିଲେ। ଜିଲ୍ଲାପାଳ ମଞ୍ଚରୁ ଓହ୍ଲାଇ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ଛିଡା ହୋଇଥିବା ଲୋକଙ୍କୁ ଆସନରେ ବସାଇବାର ବ୍ୟବସ୍ଥା କରିଥିଲେ।ସୁନ୍ଦରଗଡ଼ର କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭା ମଞ୍ଚରେ ମହୁଲଫୁଲରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ଉପହାର ଦେଇଥିଲେ। ଖାଦ୍ୟ ପ୍ୟାକେଟ୍ଗୁଡ଼ିର ପ୍ୟାକିଂକୁ ଦେଖି ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ। ଏସ୍ଏଚ୍ଜି ମହିଳାମାନଙ୍କୁ ପ୍ରଶଂସା କରିବା ସହ ଜିଲ୍ଲାର ଅନ୍ୟ ମହିଳାମାନେ ଏମିତି ଖାଦ୍ୟ ତିଆରି କରନ୍ତୁ ବୋଲି କହିଥିଲେ।
