Odia News Portal

କୋଭିଡ୍ ଟିକା ନନେଲେ ଚାକିରିରୁ ବିଦା

କରୋନା ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇଛି। କେତେକ କମ୍ପାନୀ ଆଉ ଥରେ ୱାର୍କ ଫ୍ରମ ହୋମ ଆରମ୍ଭ କରିବାକୁ ମଧ୍ୟ ଯୋଜନା କରୁଛନ୍ତି ଓ ଟିକାକରଣ ଉପରେ ଜୋର ଦେଉଛନ୍ତି। ଏ ନେଇ ଏବେ ଗୁଗଲ ମଧ୍ୟ ଶକ୍ତ ହୋଇଛି। Google ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି ଯେ ଯଦି ସେମାନେ COVID ୧୯ ଟିକାକରଣ ନିୟମ ପାଳନ ନ କରନ୍ତି ତେବେ ତାଙ୍କୁ କମ୍ପାନୀ ଚାକିରିରୁ ବାହାର କରିଦେବ।
ରିପୋର୍ଟ ମୁତାବକ,Google ଲିଡରସିପର ଏକ ମେମୋ ଏବେ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ କମ୍ପାନୀର ସମସ୍ତ କର୍ମଚାରୀ ଡିସେମ୍ବର ୩ ମଧ୍ୟରେ ନିଜ ଭ୍ୟାକସିନେସନ ଷ୍ଟାଟସ ସମ୍ପର୍କରେ କମ୍ପାନୀକୁ ଜଣାଇବେ। ପ୍ରମାଣ ସ୍ୱରୂପ ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ଟିକାକରଣ ସାର୍ଟିଫିକେଟକୁ ମଧ୍ୟ ଅପଲୋଡ଼ କରିବାକୁ ହେବ। ଯେଉଁମାନେ ନିଜ ସାର୍ଟିଫିକେଟ ଅପଲୋଡ଼ କରୁନାହାନ୍ତି, ସେମାନେ ଏହାର କାରଣ କହିବାକୁ ବାଧ୍ୟ। ଯଦି କମ୍ପାନୀକୁ ଏହି କାରଣ ବିଶ୍ୱାସଯୋଗ୍ୟ ତଥା ଠିକ ନ ଲାଗିଲା ତେବେ କମ୍ପାନୀ ତାଙ୍କୁ କାର୍ୟ୍ୟରୁ ଅବ୍ୟାହତି ଦେବ ବୋଲି ଏହି ମେମୋରେ ସ୍ପଷ୍ଟ ସୂଚନା ଦିଆଯାଇଛି।
ବର୍ତ୍ତମାନ କରୋନା ସଂକ୍ରମଣ ହୁ ହୁ ହୋଇ ପୁଣିଥରେ ବଢ଼ି ଚାଲିଛି। ଏଥିରୁ ମୁକ୍ତି ପାଇଁ ଟିକା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏଣୁ Google ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଟିକା କରଣଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସମସ୍ତେ ଯେଭଳି ଟିକା ନେବେ ତାକୁ ଦୃଷ୍ଟିରେ ରଖି ଗୁଗଲ ଏହି ନୋଟିସ ଜାରି କରିଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।