Odia News Portal

ଖୋଲିବ ୨ ନୂଆ OISF ବାଟାଲିୟନ୍, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଦୁଇଟି OISF ବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବାଟାଲିୟନ୍ । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ୩ ଓ ୪ ନମ୍ବର OISF ବାଟାଲିୟନ ଭାବେ ନାମିତ ହେବ । ଏହି ଦୁଇଟି ବାଟାଲିୟନ୍‌ରେ ୧୯୪୪ଟି ପଦବି ସୃଷ୍ଟି ହେବ । କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଡ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ସବ୍‌ ଇନ୍‌ସପେକ୍ଟର ଭଳି ପଦବୀରେ ନିଯୁକ୍ତି ମିଳିବ । ଦୁଇଟି OISF ବାଟାଲିୟନ୍ ପ୍ରତିଷ୍ଠା ନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ପଦକ୍ଷେପ ନେଉଛନ୍ତି । ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ଜରୁରି ହୋଇପଡ଼ିଛି । 

ପୂର୍ବରୁ OISFରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ ଥିଲା । ଏହାର ସମୁଦାୟ ପଦବୀ ସଂଖ୍ୟା ଥିଲା ୧୮୦୭ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଏପ୍ରିଲ ମାସରେ ଗୋଟିଏ ନୂଆ ବାଟାଲିଅନ ସୃଷ୍ଟି କରିଥିଲେ । ଏହାଦ୍ୱାରା ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରୁଥିଲା ଏବଂ ଏହି ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ଥିଲା । ତୃତୀୟ ଓ ଚତୁର୍ଥ ବାଟାଲିଅନ ସୃଷ୍ଟି ହେବା ପରେ  ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ ସମୁଦାୟ  ୪୯୨୭ ପଦବୀ ସୃଷ୍ଟି ହେଲା । 

ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି । ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି । ଉତ୍କର୍ଷ ଓଡ଼ିଶା-ମେକ୍‍ ଇନ ଓଡ଼ିଶା ୨୦୨୫ ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।  ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ  ଆହୁରି ଦୁଇଟି  ବାଟାଲିଅନ ଗଠନକୁ ମଞ୍ଜୁରୀ ଦେଇଛନ୍ତି ।