Odia News Portal

ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ ହୋଇପଡ଼ିବା ସହ ଆଖପାଖ ଗାଁ ଗୁଡ଼ିକରେ କୋକୁଆ ଭୟ ଖେଳିଯାଇଥିଲା। ତେବେ ତୁରନ୍ତ ଏ ବାବଦରେ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା।

ଗାଁ ଦାଣ୍ଡରେ ଦନ୍ତାକୁ ଦେଖି ଆତଙ୍କିତ ସ୍ଥାନୀୟ ବାସିନ୍ଦା ଭିଡ଼ ଜମାଇଥିଲେ । ତେବେ ହାତୀଟି କାହାକୁ ଖାତର ନକରି ନିର୍ଭୟରେ ଗାଁ ଦାଣ୍ଡରେ ବୁଲୁଥିବା ଲକ୍ଷ୍ୟ କରାଯାଇଛି। ସୂଚନା ଅନୁସାରେ, ବେତନଟି ରେଞ୍ଜର ବିଭିନ୍ନ ଜଙ୍ଗଲରେ ୧୦ ରୁ ୧୨ ଝାଡ଼ଖଣ୍ଡୀ ହାତୀ ବୁଲୁଛନ୍ତି । ହେଲେ ଗୋଟିଏ ଦନ୍ତା ହାତୀ ଗୋଠଛଡା ହୋଇ ବୈଶିଙ୍ଗା ଉପକଣ୍ଠ କ୍ଷୀରପଦା ଜଙ୍ଗଲରେ ରହି ଆସୁଛି । ଆଉ ବିଭିନ୍ନ ସମୟରେ ଜଙ୍ଗଲରୁ ବାହାରି ନିକଟବର୍ତ୍ତୀ ଗାଁ ଗୁଡିକରେ ବୁଲୁଛି ।

ଏହା ଏକ ବୟସ୍କ ଦନ୍ତା ହୋଇଥିବା ଜଣାପଡ଼ିଛି। ଏହି ଦନ୍ତା ଦୀର୍ଘ ସମୟ ଧରି ବ୍ୟସ୍ତବହୁଳ ବୈଶିଙ୍ଗା-ମାଣତ୍ରୀ ରାସ୍ତା ଅବରୋଧ କରୁଛି ତ କେତେବେଳେ ଗାଁ ଭିତରେ ପଶି ଉପଦ୍ରଵ କରୁଛି ।

ଗତକାଲି ସନ୍ଧ୍ୟାରେ ଜଙ୍ଗଲରୁ ବାହାରି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲା । ଆଜି ସକାଳୁ ପ୍ରତିମାଦେଇପୁର ଶାସନ ଭିତରେ ପଶି ଗାଁ ଦାଣ୍ଡରେ ବୁଲିଥିଲା ।

ତେବେ ଘର ସମ୍ମୁଖରେ ଦନ୍ତାକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ । ଅନ୍ୟ କିଛି ମହିଳା ପୁରୁଷ ହାତୀ ଦେଖିବାକୁ ତା ପଛେ ପଛେ ବୁଲୁଥିଲେ । ସେପଟେ ହାତୀର ଗତିବିଧି ଉପରେ ନଜର ରଖିଥିବା କହିଛି ବନବିଭାଗ ।