ଗୃହରେ ପୁଣି ଉଠିବ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଲୋକଙ୍କ ସ୍ୱାର୍ଥ ସହ ଜଡିତ କୌଣସି ପ୍ରସଙ୍ଗ ଛାଡିବନି ଦଳ
ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଆଉ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ଉଠାଇ ପୁଣିଥରେ ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆସନ୍ତାକାଲି ବିଧାନସଭାରେ ପୁଣି ରାଜ୍ୟରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠିବ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ନିର୍ଯ୍ୟାସ ବାହାରି ପାରିନି । କାହିଁକି ହତ୍ୟାର ହେଲା ତାହା ଏଯାବତ ଜଣାପଡିନି ।
କ୍ରାଇମବ୍ରାଞ୍ଚ ଦୀର୍ଘ ଦିନ ହେବ ଏହି ମାମଲାର ତଦନ୍ତ କରୁଛି, ତ୍ରେୁ କ୍ରାଇମବ୍ରାଞ୍ଚ ସାମ୍ବାଦିକ ସମ୍ମିଳନୀ କରି ଆଗ ସତ କହୁ । ଯାହାଦ୍ୱାରା ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହେବ । ନବ ଦାସଙ୍କ ହତ୍ୟା ପଛରେ ଷଡଯନ୍ତ୍ର ରହିଥିବା ନେଇ ସ୍ୱୀକାର କରିଛନ୍ତି ସରକାର କିନ୍ତୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ପଦୁଟିଏ ମଧ୍ୟ କହିଲେ ନାହିଁ । ଷଡଯନ୍ତ୍ର ସମ୍ପର୍କରେ ତଦନ୍ତ ହେଉଛି କିନ୍ତୁ ଏହାକୁ ସରକାର ଲୁଚାଉଛନ୍ତି । ସେଥିପାଇଁ ଅନେକ ସନ୍ଦେହ ଉପୁଜୁଛି ।
କେବଳ ନବ ଦାସଙ୍କ ପ୍ରସଙ୍ଗ ନୁହେଁ ବରଂ ଗୃହରେ ଚାଷୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଥିବାରୁ ଏହାକୁ ନେଇ ମଧ୍ୟ ସ୍ୱର ଉଠାଇବ କଂଗ୍ରେସ । ଲଗାତାର ଗୃହରେ ଅସତ୍ୟ ପରିବେଷଣ କରୁଛନ୍ତି ସରକାର । ଏବେ ଯାଏଁ ପୁରୀରେ ନିଆଁକୁ କାବୁ କରାଯାଇ ପାରୁନାହିଁ । ବିଜ୍ଞାନ ଏତେ ଉନ୍ନତି କଲା ପରେ ବି ନିଆଁକୁ ଆୟତ୍ତ କରିବାରେ ଚ୍ୟାଲେଞ୍ଜ ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ଚରମ ଅବହେଳା ପାଇଁ ଏସବୁ ଦେଖିବାକୁ ମିଳିଲା । ଏହାବାଦ୍ ଗୃହରେ ଖଣି ଦୁର୍ନୀତି ଓ ଦରଦାମ ବୃଦ୍ଧି ସହ ବିଦ୍ୟୁତ କାଟ୍ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି କହିଛନ୍ତି ନରସିଂହ ମିଶ୍ର ।
