ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ଏସ୍ପିଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା । ୧୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ , ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ସୂଚନା ଦେଇଛନ୍ତି ଏସ୍ପି । ସେହି ତିନିଜଣଙ୍କୁ ଗିରଫ କରାଯାଇଛି । ବାକି ୭ଜଣଙ୍କୁ ପୁଲିସ ପଚରାଉଚରା କରୁଛି । ବଡ଼ କଥା ହେଉଛି, ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି । ସେପଟେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଘଟଣାସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍ ।
ସକାଳେ ବାହାର ରାଜ୍ୟକୁ ଫେରାର ହେଉଥିବାବେଳେ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲା ପୁଲିସ । ଗତକାଲି ଗୋପାଳପୁରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ୧୦ଜଣ ଦୁର୍ବୃତ୍ତ ପ୍ରଥମେ ଘେରିଥିଲେ । ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ମାନେ ସହଯୋଗ କରିଥିବା ଅଭିଯୋଗ ହୋଇଛି । ତେବେ ଗୋପାଳପୁର ପୁଲିସ ଏହି ମାମଲାରେ ପ୍ରଥମେ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ଅନ୍ୟ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହିଞ୍ଜିଳି ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ଅଧିକ ତଦନ୍ତ ଚଳାଇଛି । ରବିବାର ରଜ ସଂକ୍ରାନ୍ତିରେ ଏମାନେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ । କିନ୍ତୁ ସଂକ୍ରାନ୍ତି ଯୋଗୁଁ ବେଳାଭୂମିରେ ବେଶୀ ଭିଡ଼ ନଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ଘଟଣା ନେଇ ଏସ୍ପିଙ୍କ ସହ କଥା ହୋଇଛନ୍ତି ପ୍ରଭାତୀ ପରିଡା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଭବିଷ୍ୟତରେ ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।