Odia News Portal

ଗୋପାଳପୁର ଯିବ AICC ଟିମ୍, ଗଣଦୁଷ୍କର୍ମ ମାମଲାର କରିବ ତନାଘନା

ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା AICC । ଦୀପା ଦାସମୁନିସିଙ୍କ ଆବାହକତ୍ୱରେ ଏହି କମିଟି ଗଠନ ହୋଇଛି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ୫ ଜଣ ସଦସ୍ୟ ରହିଛନ୍ତି । କମିଟିରେ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣିତି ସିନ୍ଦେ, ସାଂସଦ ଏସ୍‌ ଜ୍ୟୋତିମଣି ରହିବେ । ଏହାସହ ଶୋଭା ଓଝା ଅନ୍ୟତମ ସଦସ୍ୟ ରହିବେ । ଓଡ଼ିଶାରେ ମହିଳା ବିରୋଧୀ ହିଂସା ନେଇ ତଦନ୍ତ କରି ରିପୋର୍ଟ ଦେବେ ଏହି କମିଟିର ସଦସ୍ୟ ।  AICC ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ଏହି ୫ଜଣଙ୍କ ନାଁ ଉଲ୍ଲେଖ ରହିଛି । ଏହି ଟିମ୍ ଓଡ଼ିଶା ଗସ୍ତରେ ଆସି ଗୋପାଳପୁର ଗଣଦୁଷ୍କର୍ମ ମାମଲା ବିଷୟରେ ତନାଘନା କରିବେ ।

ଗଞ୍ଜାମ ଗୋପାଳପୁର ବିଚ୍‌ରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଦେଶବ୍ୟାପୀ କମ୍ପନ ସୃଷ୍ଟି କରିଛି । ରଜ ସମୟରେ ଜଣେ ଯୁବତୀ ପୁରୁଷବନ୍ଧୁଙ୍କ ସହ ବିଚ୍‌ ବୁଲିବାକୁ ଯାଇଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମାମଲାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍ । ସେପଟେ ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡ଼ିଶା ଆସିବେ । କଂଗ୍ରେସ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଯେଉଁଥିରେ ମହିଳା ବିରୋଧୀ ହିଂସା ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।