Odia News Portal

ଘରୋଇ କଳହକୁ ନେଇ ଏସିଡ ଆଟାକ୍

ଘରୋଇ କଳିରୁ ଏସିଡ଼ ଆଟାକ୍। ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ସହରର ନୂଆପଡ଼ାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା ।
ଖବର ଅନୁଯାୟୀ, ବରଗଡ ଉପକଣ୍ଠ ନୂଆପଡା ୱାର୍ଡ ନଂ ୧୧ରେ ମନୋଜ ସୋନି ଓ ପବନ ସୋନି ରୁହନ୍ତି । ଆଜି ହଠାତ୍ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡ଼ାରେ ପବନ ସୋନି ରାଗିଯାଇ ମନୋଜ ସୋନିଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଉଭୟଙ୍କ ଝଗଡା ଦେଖି ପଡୋଶୀ ଘରୁ ତିନି ଜଣ ଲୋକ ସମାଧାନ କରିବାକୁ ଦୌଡି ଆସିଥିଲେ । କିନ୍ତୁ ସେମାନଙ୍କ ଉପରକୁ ଏସିଡ ମାଡ଼ ହୋଇଥିଲା । ଯାହାଫଳରେ ସେମାନେ ବି ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ ଟାଉନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତଙ୍କ ଅବସ୍ଥା ଏବେ ଗୁରୁତର ରହିଛି ।