Odia News Portal

ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଖଣ୍ଡଯୁଦ୍ଧ; ବିଜେଡିର ଲୋକସେବା ଭବନ ଘେରାଉ ବେଳେ ଧସ୍ତାଧସ୍ତି, ପାଣି ଓ ଟିୟର ଗ୍ୟାସ୍ ମାଡ଼ କଲା ପୁଲିସ

ଏଫଏମ ଛାତ୍ରୀ ମୃତ ସୌମ୍ୟାଶ୍ରୀଙ୍କୁ ନେଇ ହୁଲୁସ୍ତୁଲ ରାଜଧାନୀ । ଭୁବନେଶ୍ବର ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ । ଲୋକସେବା ଭବନ ଘେରାଉ ବେଳେ ବିଜେଡି କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ । ସ୍ଥିତି ନିୟନ୍ତ୍ରଣ ପାଇଁ ଟିୟର ଗ୍ୟାସ୍ ଏବଂ ପାଣି ମାଡ଼ କଲା କମିଶନରେଟ୍ ପୁଲିସ ।

ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ବିଜୁ ଜନତା ଦଳର ନେତା ଏବଂ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ । ଏହି ଘଟଣାରେ ଅନେକ ବିଜେଡି କର୍ମୀ ଆହତ ହୋଇଥିବା ବେଳେ କିଛି ପୁଲିସ୍ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ବିଜେଡ଼ି ବିଚାର ବିଭାଗୀୟ ତଦନ୍ତ ଦାବି କରବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ବିଧାୟକଙ୍କ ଇସ୍ତଫା ଦାବି କରିଛି । ଏନେଇ ଆଜି ରାସ୍ତାକୁ ଓହ୍ଳାଇଥିଲା ଛାତ୍ର ଯୁବକ ଓ ମହିଳା କର୍ମକର୍ତ୍ତାମାନେ । ଲୋକସେବା ଭବନ ଘେରାଉ ବେଳେ ଲୋୟର ପିଏମ୍ଜିରେ ଉତ୍ତ୍ୟକ୍ତ ହୋଇ ପ୍ରଥମ ବାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ଆନ୍ଦୋଳନ ବେଳେ ପୁଲିସ-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ଼ ଏବଂ ପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା କନିଶନରେଟ୍ ପୁଲିସ

ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ସୌମ୍ୟାଶ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ଯେଉଁମାନେ ତାଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଛନ୍ତି, ସେମାନେ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ । ସେହିପରି ଇପ୍ସିତା ସାହୁ କହିଛନ୍ତି, ପୀଡ଼ିତା ଏବିଭିପିର କର୍ମକର୍ତ୍ତା ଥିଲେ କିନ୍ତୁ ସେହି ସଂଗଠନର ଚକ୍ରାନ୍ତରେ ସେ ଫସି ଯାଇ ନିଜ ଆତ୍ମାହୁତି ଦେଇ ଦେଲେ । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବିଧାୟକ ଏହି ଘଟଣାରେ ଅବଗତ ଥାଇ ମଧ୍ୟ ଚୁପ୍ ରହିଲେ ଏବଂ ଛାତ୍ରୀଙ୍କୁ ନ୍ୟାୟ ଦେଇ ପାରିଲେ ନାହିଁ ।ଅନ୍ୟପଟେ ଏହି ଘଟଣା ପରେ ଲୋୟର ପିଏମଜିରେ ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଡ୍ରୋନ୍ ସାହାଯ୍ୟରେ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖାଯାଇଛି । ପ୍ରଦର୍ଶନକ ବେଳେ ବିଜେଡିର କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଯାଇଛି ପୁଲିସ ।