୮ଘଣ୍ଟିଆ ବାଲେଶ୍ବର ବନ୍ଦ । FM ଛାତ୍ରୀ ମୃତ୍ୟୁକୁ ନେଇ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଦିନ ୨ଟାଏ ଯାଏଁ ଚାଲିବ ଆନ୍ଦୋଳନ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଛି ।
ବାଲେଶ୍ୱରରେ ବନ୍ଦ ପାଳନ ବେଳେ ଷ୍ଟେସନ୍ ଛକ ନିକଟରେ ଉପଜିଲ୍ଲାପାଳଙ୍କ ଗାଡି ଅଟକାଇଲେ ବିଜେଡି କର୍ମୀ । ଉପଜିଲ୍ଲାପାଳ ବାଲେଶ୍ବର ସର୍କିଟ ହାଉସ ଅଭିମୁଖେ ଯାଉଥିବା ବେଳେ ଷ୍ଟେସନ ଛକରେ ଗାଡିକୁ ଅଟକାଇ ଥିଲେ ।ଶେଷରେ ଉପଜିଲ୍ଲାପାଳ ନିଜେ ଗାଡିରୁ ଓହ୍ଲାଇ ଚାଲି ଚାଲି ସର୍କିଟ ହାଉସ୍ ଅଭିମୁଖେ ଯାଇଥିଲେ ।
ଏପଟେ ବାଲେଶ୍ବର ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ । ସେ କହିଛନ୍ତି, ବିରୋଧୀ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାରେ ପ୍ରିନ୍ସିପାଲ୍ ଓ ଏଚଓଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିରୋଧୀ ଦଳର କର୍ମୀ ହିଁ ପୀଡିତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ପୂର୍ବ ସରକାର ଘଟଣାପ୍ରତି ସମ୍ବେଦନଶୀଳ ହେଉନଥିଲେ, ଅଭିଯୁକ୍ତ ବନ୍ଧା ହେଉନଥିଲା । ଏବେ ନୂଆ ସରକାରରେ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ହେଉଛି । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଭେଟି ସମବେଦନା ଜଣାଇଛନ୍ତି । ସରକାର ତ୍ବରିତ ନ୍ୟାୟ ପାଇଁ ବ୍ୟବସ୍ଥା କରିଛନ୍ତି।
ଅପରପକ୍ଷେ ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ। ଲୋୟର ପିଏମଜିରେ ଶହଶହ ବିଜେଡି କର୍ମୀ । ଏଫଏମ୍ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଚାଲିଛି ପ୍ରତିବାଦ । ବିଜେଡିର ବରିଷ୍ଠ ନେତାଙ୍କ ସହ ଯୁବ-ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି ଆନ୍ଦୋଳନରେ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ବିଧାନସଭା ଚତୁଃପାର୍ଶ୍ବରେ କମିଶନରେଟ୍ ପୋଲିସର ଛାଉଣି । ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିଛି ଡ୍ରୋନ୍ । ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।