Odia News Portal

‘ଜରୀ ମାଉସୀ’ଙ୍କ ଦେହାନ୍ତ

ଆଉ ନାହାନ୍ତି କେନ୍ଦ୍ରାପଡାର ଜରି ମାଉସୀ କମଳା ମହାରଣା । ଆଉ ନାହାନ୍ତି କେନ୍ଦ୍ରାପଡାର ଜରି ମାଉସୀ କମଳା ମହାରଣା । କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ ଏପ୍ରିଲ ୨୮ ତାରିଖରେ ଅସାବଧାନତା ହେତୁ ଘରେ ପଡିଯିବା ପରେ କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପରିବାର ଲୋକେ କଟକର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । କମଳା ମାଉସୀଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି ।

କମଳାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍‌ ଅଧୀନ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମରେ । ଅଦରକାରୀ ଜରିକୁ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ଯାହା ପାଇଁ ମନ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ । ନିକଟରେ କମଳା ‘ଅପରେସନ ସିନ୍ଦୂର’ରେ ଭାରତର ସଫଳତା ପରେ ଖୁସିରେ ସ୍ଥଳସେନା, ବାୟୁସେନା ଏବଂ ନୌସେନା ମୁଖ୍ୟଙ୍କୁ ଉପହାର ପଠାଇଥିଲେ । ନିଜ ହାତତିଆରି ଟୋପି ଓ ଚିଠି ପଠାଇ ଶୁଭେଚ୍ଛା ଜଣାଇଥିଲେ । ୨୦୨୩ ମସିହା ଫେବ୍ରୁୟାରୀ ୨୬ ତାରିଖରେ ତାଙ୍କର ୯୮ତମ ମନ୍‌ କୀ ବାତ୍‌ର ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କ ପ୍ରଶଂସା କରିଥିଲେ । ପରେ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ାକୁ ନିର୍ବାଚନ ବେଳେ ଆସିବା ସମୟରେ କମଳାଙ୍କୁ ଆଣ୍ଠେଇ ନମସ୍କାର କରିଥିଲେ । ପରେ ପ୍ରଧାନମନ୍ତ୍ରୀ କମଳାଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀ ଡାକିଥିଲେ । କମଳା ଅଦରକାରୀ ବସ୍ତୁରୁ ସୁନ୍ଦର ଘରୋଇ ଉପକରଣ ତିଆରି କରି ଚର୍ଚ୍ଚାରେ ଥିଲେ ।