ଜଳେଶ୍ବରରେ ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ୫ ଖଣି ଅଧିକାରୀ । ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ ଖବର ପାଇ ଚଢ଼ାଉ ପାଇଁ ଯାଇଥିଲେ ଖଣି ବିଭାଗର ସ୍ବତନ୍ତ୍ର ଟିମ୍ । ଏହି ସମୟରେ ଖଣି ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ଥିବାବେଳେ ଥାନାରେ ଏତଲା ଦେଇଛନ୍ତି ଖଣି ଅଧିକାରୀ । ସୂଚନା ଅନୁସାରେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଉତ୍ତୋଳନ ହେବା ନେଇ ଅଭିଯୋଗ ପାଇବା ପରେ ବାଲେଶ୍ୱର ଜିଲ୍ଲା ଖଣି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।
ଏହି ଟିମ୍ରେ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ, ସତ୍ୟ ଚିନ୍ମୟ ଜେନା, ଜଗନ୍ନାଥ ଦାସ ଓ ପର୍ଶୁରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବିଳମ୍ବିତ ରାତିରେ ସୁବର୍ଣ୍ଣରେଖା ନଦୀରୁ ଚୋରା ବାଲି ଉତ୍ତୋଳନ ହେବାର ଖବର ପାଇ ଚଢ଼ାଉ ପାଇଁ ବାହାରିଥିଲା ଟିମ୍ । ପଥରପୁରା ଠାରେ ବାଲି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା ଖଣି ଅଧିକାରୀଙ୍କ ଗାଡ଼ି । ଗାଡ଼ିରେ ଥିବା ୫ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।