Odia News Portal

ଜେଲ୍‌ରେ ବିଗିଡ଼ିଲା ଧର୍ମଗଡ଼ ଲାଞ୍ଚୁଆ ଉପଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟାବସ୍ଥା, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଥିଲେ

ଜେଲ୍‌ରେ ବିଗିଡ଼ିଲା ଲାଞ୍ଚୁଆ ଆଇଏଏସ୍‌ ଅଫିସରଙ୍କ ସ୍ବାସ୍ଥ୍ୟ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି । ତାଙ୍କୁ ଜେଲ୍‌ରେ ଚିକିତ୍ସା ଦେଉଛନ୍ତି ଡାକ୍ତରୀ ଟିମ୍ । ଗତକାଲି ଜାମିନ ନାମଞ୍ଜୁର ପରେ ତାଙ୍କୁ ଭବାନୀପାଟଣ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା । ପରେ ଆଜି ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲା ଭିଜିଲାନ୍ସ କୋର୍ଟ । ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧର୍ମଗଡ଼ ସବ୍‌କଲେକ୍ଟର ଧୀମାନ୍ ଚକମା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏହାପରେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା । ଏକାଧିକ ସ୍ଥାନରେ ଚଢ଼ାଉ ବେଲେ ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିଲା । 

୨୦୨୧ ବ୍ୟାଚ୍‌ର ଆଇଏଏସ୍ ଶ୍ରୀ ଚକ୍‌ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା । ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ । ଅଗରତାଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ସେ ୟୁପିଏସ୍‌ସି ପରିଚାଳିତ ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଲାଞ୍ଚ ନେବା ମାମଲାରେ ଗତକାଲି ପୁଣି ଭିଜିଲାନ୍ସର ଏକ ଟିମ୍ ଧର୍ମଗଡ଼ ଯାଇ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ଛାନ୍‌ଭିନ୍ କରିଥିଲେ । ଯାହାଫଳରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ କରିଥିବା ଜଣା ପଡ଼ିଛି । ଏହାଛଡ଼ା ଉପଜିଲ୍ଲାପାଳଙ୍କ ଅଫିସ୍‌ର ଅନ୍ୟ କର୍ମଚାରୀମାନଙ୍କ ସହ ବି ଆଲୋଚନା କରିଛନ୍ତି ଭିଜିଲାନ୍ସ ଅଧିକାରୀ ।