Odia News Portal

ଠିକ୍ ସମୟରେ ଅଫିସ ଆସିଲେନି କର୍ମଚାରୀ; ବ୍ଳକ ଗେଟ୍‌ରେ ତାଲା ପକାଇଲେ ଅଧ୍ୟକ୍ଷା

କର୍ମଚାରୀମାନେ ଠିକ୍ ସମୟରେ ଅଫିସ ନଆସିବାରୁ ବ୍ଲକ ମୁଖ୍ୟ ଗେଟ୍‌ରେ ତାଲା ପକାଇଲେ ଅଧ୍ୟକ୍ଷା । ଅଫିସ ସମୟ ସକାଳ ୭ଟା ଥିବା ବେଳେ ବିଡିଓଙ୍କ ସମେତ କୌଣସି କର୍ମଚାରୀ ବ୍ଳକକୁ ଆସିନଥିବା ଅଭିଯୋଗ ହୋଇଛି । ତେଣୁ ୭ଟା ୪୦ ମିନିଟରେ ବ୍ଳକ ଅଧ୍ୟକ୍ଷା ନିଜେ ମୁଖ୍ୟ ଗେଟରେ ତାଲା ପକାଇଛନ୍ତି । ସରକାରୀ ନିୟମ ଉଲ୍ଲଙ୍ଘନ କରାଯାଇଥିବାରୁ ଏଭଳି କରିଥିବା କହିଛନ୍ତି ଗୋପ ବ୍ଳକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ।

ପ୍ରବଳ ଖରା ଯୋଗୁଁ ଏପ୍ରିଲ ୧୦ ତାରିଖରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ କରିଛନ୍ତି ସରକାର । ଯାହାଦ୍ୱାରା ସାଧାରଣ ଲୋକମାନେ ସକାଳୁ ଆସି ସେମାନଙ୍କ କାମ କରିବା ସହିତ ଖରା ପୂର୍ବରୁ ଘରେ ପହଞ୍ଚିବେ । କିନ୍ତୁ ଗୋପ ବ୍ଲକରେ ତା’ର ବ୍ୟତିକ୍ରମ ଦେଖାଦେଇଛି । ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ କର୍ମଚାରୀ ମାନେ ଠିକ୍ ସମୟରେ ନଆସିବାରୁ ସାଧାରଣ ଲୋକ ମାନେ ନୀରାଶ ହୋଇ ଫେରୁଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ମହିଳା ଓ ପୁରୁଷ କୌଣସି କାର୍ଯ୍ୟରେ ଆସି ବିଡ଼ିଓଙ୍କ ସମେତ ଅନ୍ୟ ବ୍ଲକ କର୍ମଚାରୀ ମାନଙ୍କୁ ଖୋଜିଥିଲେ ମଧ୍ୟ ବ୍ଲକର ସମସ୍ତ ବିଭାଗ ସହିତ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଥିଲା । ଅନେକ ସମୟରେ ଏଭଳି ଅଭିଯୋଗ ପାଉଥିବା ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଶେଷରେ ବ୍ଲକର ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ପରେ ଅର୍ଥାତ୍ ସାଢ଼େ ଆଠଟା ବେଳକୁ ବିଡିଓଙ୍କ ସମେତ କେତେକ ବ୍ଲକ କର୍ମଚାରୀ ଆସିଥିଲେ । ବ୍ଲକଟି ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ଲକ ହୋଇଥିବା ବେଳେ କେମିତି ଖୁଲମଖୁଲା ନିୟମ ଉଲଙ୍ଘନ କରାଯାଉଛି ତାହା ସମସ୍ତଙ୍କୁ ଚକିତ କରିଛି ।