୭ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ ୭ ଦଫା ଦାବିକୁ ନେଇ ସଫଳ ଆଲୋଚନା ହୋଇସାରିଛି । ସମସ୍ତ ଦାବିର ସମାଧାନ କରାଯିବା ନେଇ ମଧ୍ୟ ସରକାର ଡ୍ରାଇଭର ମହାସଂଘକୁ ପ୍ରତିଶ୍ରୁତି ଦେଇସାରିଛନ୍ତି । ସଫଳ ଆଲୋଚନା ପରେ ମଧ୍ୟ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ସମସ୍ୟା ଆଉ ନାହିଁ ।
୪୦୦ରୁ ଉର୍ଦ୍ଧ୍ବ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛି । ୩୫ରୁ ଉର୍ଦ୍ଧ୍ବ ଡ୍ରାଇଭର ସଂଘ ପରିବହନ ବିଭାଗ ସହ ରହିଛନ୍ତି । ଆନ୍ଦୋଳନକାରୀ ଡ୍ରାଇଭରମାନେ ଯେଉଁ ଗାଡ଼ି ଚାଳକଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରାଇଭରମାନେ ଆନ୍ଦୋଳନ ନାମରେ ଜନସାଧାରଣଙ୍କୁ ହଇରାଣ କରିବା ସରକାର ଗ୍ରହଣ କରିବେ ନାହିଁ । କଂଗ୍ରେସ ଡ୍ରାଇଭରଙ୍କୁ ନେଇ ରାଜନୀତି କରୁଛନ୍ତି । ପ୍ରତି ୧୦୦ କିଲୋମିଟର ଦୂରରେ ଡ୍ରାଇଭରମାନଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ପାଇଁ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ ।