ଦଶପଲ୍ଲା ଏନ୍ଏସି ସମସ୍ୟା: କାଉନ୍ସିଲରଙ୍କ ଧାରଣା ସ୍ଥଗିତ By Swadhikar News Last updated Oct 21, 2025 ଦଶପଲ୍ଲା ଏନ୍ଏସିରେ ଲାଗି ରହିଥିବା ନାନା ସମସ୍ୟାକୁ ନେଇ ଗତ ୧୭ ତାରିଖ ଠାରୁ କାଉନ୍ସିଲରମାନେ ଧାରଣାରେ ବସିଛନ୍ତି। ଧାରଣାର ଆଜି ୩ୟ ଦିନରେ ପ୍ରକଳ୍ପ ନିର୍ଦ୍ଦେଶକ (ଦୁଡ଼ା) ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ ଓ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଧାରଣାରତ କାଉନ୍ସିଲରଙ୍କ ସହ ଆଲୋଚନା କରିଛନ୍ତି। କାଉନ୍ସଲିରମାନେ ରଖିଥିବା ୧୩ଦଫା ଦାବିର ବିଚାର କରିବାକୁ ପ୍ରତିଶ୍ରୁତି ମିଳିଛି। ଏନେଇ ଆସନ୍ତା ୨୮ରେ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି। ଫଳରେ ସେହି ଦିନ ପର୍ଯ୍ୟନ୍ତ ଧାରଣା ସ୍ଥଗିତ ରହିଛି। ଆଜି ପୂର୍ବାହ୍ଣରେ ଧାରଣା ସ୍ଥଳରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ପହଞ୍ଚି ଉପସ୍ଥିତ କାଉନ୍ସିଲର ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ। ସେମାନେ ରଖିଥିବା ଦାବିଗୁଡ଼ିକ ଉପରେ ପୁଂଖାନୁପୁଂଖ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଆସନ୍ତା ୨୮ ତାରିଖ ବୈଠକ ସମୟ ଧାର୍ଯ୍ୟ ହୋଇଛି। ତେବେ ଏହା ମଧ୍ୟରେ ଏନ୍ଏସିରେ ଅନେକ ବର୍ଷ ଧରି କାର୍ଯ୍ୟ କରିଆସୁଥିବା କର୍ମଚାରୀ ଓ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ଉପସ୍ଥିତ ବୁଦ୍ଧିଜୀବୀମାନେ ଦାବି କରିଥିଲେ। ଏହି ପ୍ରସଙ୍ଗକୁ ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଅନେକ ବିଶୃଙ୍ଖଳା ଘଟିବ ବୋଲି କହିଥିଲେ। ସେହି କର୍ମଚାରୀଙ୍କ ଯୋଗୁଁ ଏନ୍ଏସିରେ ଦୁର୍ନୀତି ବଢ଼ୁଛି ବୋଲି କାଉନ୍ସିଲରମାନେ ମତ ଦେଇଛନ୍ତି। ଅଭିଯୋଗ ଅନୁସାରେ, କିଛି କର୍ମଚାରୀ ମାସିକ ହିସାବ ନଦେଇ କେବଳ ନକଲି ଭାଉଚରରେ ପ୍ରତିଦିନ ଲକ୍ଷାଧିକ ଟଙ୍କା ବିଲ୍ କରୁଛନ୍ତି। ଏସ୍ଇଟିପି ପ୍ଲାଣ୍ଟ ବା ମଳ ବିଶୋଧନା ଗୃହ ନିର୍ମାଣ ପାଇଁ ୩କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ଗୃହ ନିର୍ମାଣ ବାବଦକୁ ସିକ୍ୟୁରିଟି ଅର୍ଥ ୧୧ ଲକ୍ଷ ଟଙ୍କା ରହିଥିଲା। ମୁନିସ୍ପାଲ ଇଞ୍ଜିନିୟରଙ୍କ ନୋଟସିଟ୍ ପରେ ଏହି ଅର୍ଥକୁ ପୈଠ କରିବା କଥା। ମାତ୍ର ଏହି ସିକ୍ୟୁରିଟି ଅର୍ଥ ପ୍ରଦାନରେ ବ୍ୟାପକ ଚଞ୍ଚକତା କରାଯାଇଥିବା କାଉନସିଲର ମାନେ ଅଭିଯୋଗ ଆଣିଛନ୍ତି। କାହାର ଦସ୍ତଖତରେ ଏହିଅର୍ଥ ପୈଠ ହୋଇଛି ଏହାର ଫାଇଲକୁ କାଉନସିଲରଙ୍କ ଉପସ୍ଥିତିରେ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ଦାବି ହୋଇଛି। ସେହିଭଳି ଗତ ଜାନୁଆରୀ ମାସ ଠାରୁ ଆଜିପର୍ଯ୍ୟନ୍ତ ଏନ୍ଏସିର ବିଭିନ୍ନ କାର୍ଯ୍ୟ ପାଇଁ କାହା ଆକାଉଣ୍ଟକୁ କେତେଟଙ୍କା ପୈଠ ହୋଇଛି ତାହାର ହିସାବ ପାଇଁ ଦାବି ହୋଇଛି। ହାଟ ନିଲାମରେ ଦୁର୍ନୀତି ହୋଇଥିବା ଓ ଏଥିରେ କିଛି ଅଧିକାରୀଙ୍କ ସମ୍ପୃକ୍ତି ରହିଛି। ପୋଖରୀ ନିଲାମରେ ଟଙ୍କା ନେଇ ନିଲାମ ନକରିବା, ରାସନ୍ ସର୍ଭେରେ ଲୋକଙ୍କ ଠାରୁ ଅର୍ଥ ଆଦାୟ କରିବା, ପାର୍ଟ ପ୍ଲଟିଂ ଅନୁମତି ପାଇଁ ୧୫ ହଜାର ଟଙ୍କା ନେବା, ନୂତନ ହାଟଗୃହ ବାବଦକୁ ବିନା ରସିଦରେ ଭଡ଼ା ଆଦାୟ କରାଯିବା, ତ୍ରିନାଥବଜାର ଦୋକାନ ଗୃହକୁ ଆବଣ୍ଟନ କରିବା ପାଇଁ ଦାୟିତ୍ବରେ ଥିବା କରିତକର୍ମା ବାବୁ ଭିତିରିଆ ଅର୍ଥ ଆଦାୟ କରିବା ସହ କାଉନସିଲରଙ୍କୁ ଅନ୍ଧାରରେ ରଖି ପରିମଳ ଟେଣ୍ତରକୁ ବୃଦ୍ଧି କରିବା ଭଳି ନାନା ଅନିୟମିତତା ହୋଇଥିବା କାଉନସିଲରମାନେ ଅଭିଯୋଗ କରିଛନ୍ତି। swadhikarswadhikar news Share