ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଶ୍ରୀମନ୍ଦିରରୁ ଦାରୁ ନେଇଗଲେ ବରିଷ୍ଠ ଦଇତାପତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାଂଘାତିକ କଥା କହିଛନ୍ତି ରାମକୃଷ୍ଣ ଦାସମହାପାତ୍ର । ସେ କହିଥିଲେ, ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି । ୧୨ ବର୍ଷ, ୧୯ ବର୍ଷ ଅନ୍ତରରେ ଯେଉଁ ନବକଳେବର ହୁଏ, ଯେଉଁ ଦାରୁ ବ୍ରହ୍ମ ଆମକୁ ସ୍ବପ୍ନାଦେଶ ହୁଏ, ସେହି ଦାରୁ ବ୍ରହ୍ମରୁ ମୂର୍ତ୍ତି ତିଆରି ପରେ କିଛି ଦାରୁ ବଳିଥାଏ; ଯାହା ମନ୍ଦିର ଭିତରେ ଥାଏ । ଯେତେବେଳେ ଆମକୁ ମମତା ବାନାର୍ଜୀ ମନ୍ଦିର କଥା କହିଲେ, ମୁଁ ଶୁଣିଥିଲି ଏଠାରେ ପଥର ମୂର୍ତ୍ତି ବସିବ ବୋଲି ।
କିନ୍ତୁ ମୁଁ କହିଲି ନା’, ପଥର ମୂର୍ତ୍ତି ନୁହେଁ । ଦାରୁ ବ୍ରହ୍ମ ମୂର୍ତ୍ତି ବସିବେ, ତାଙ୍କର ପ୍ରାଣପ୍ରତିଷ୍ଠା ହେବ, ତାଙ୍କର ପୂଜା ହେବ । ସେ ମତେ କହିଲେ, ଆପଣ ଏହି ଦାୟିତ୍ବ ନିଅନ୍ତୁ । ତେଣୁ ସେ ଠାକୁରଙ୍କୁ ମୁଁ ନେଇ ଆସିଛି । ରାମକୃଷ୍ଣ ଦାସ ମହାପାତ୍ର ଙ୍କ ଏଭଳି ବୟାନ ପରେ ସାରା ରାଜ୍ୟର ଜଗନ୍ନାଥ ପ୍ରେମୀ ନିରାଶ ହୋଇଛନ୍ତି । ତାଙ୍କୁ ଦାରୁ ନେବାକୁ କିଏ ଅନୁମତି ଦେଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ପ୍ରେମୀ । ଏତେ ବଡ଼ ଘଟଣା ସମ୍ପର୍କରେ ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସନ, ଶଙ୍କରାଚାର୍ଯ୍ୟ ଅବଗତ ଅଛନ୍ତି କି ନାହାନ୍ତି ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।