Odia News Portal

ନଦୀରେ ବୁଡି ରାଜ୍ୟରେ 4 ମୃତ

ଯାଜପୁର/କଟକ: ଦୁଃଖ ଆଣିଲା ରଙ୍ଗର ପର୍ବ । ଆଜି ସାରା ରାଜ୍ୟରେ ଧୂମଧାମରେ ହୋଲି ସେଲିବ୍ରେସନ ହୋଇଥିବା ବେଳେ କିଛି ପରିବାର ପାଇଁ ହୋଲି ଦୁଃଖର କଳା ବାଦଲ ଆଣି ଦେଇଛି । ରାଜ୍ୟରେ ପୃଥକ ପୃଥକ ଅଘଟଣରେ ଯାଜପୁରରେ 3 ଓ କଟକରେ ଜଣଙ୍କ ମୃତ୍ୟୁ ହୋଇଛି । କିଏ ପୁଅକୁ ହରାଇଛି, କାହାର ମଥାରୁ ସିନ୍ଦୂର ଲିଭିଛି । ଅନେକ ସ୍ଥାନରୁ ଅଘଟଣ ଖବର ସାମ୍ନାକୁ ଆସିଛି ।

ହୋଲି ଖେଳି ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇ ବ୍ୟାଙ୍କ ଅଧିକାରୀଙ୍କ ମୃତ୍ୟୁ । ମୃତକ ହେଲେ ଏକ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସଂଗ୍ରାମ ଅଜିତାଭ ଦାସ । ଆଜି(ବୁଧବାର) ଯାଜପୁର ରୋଡର ବରିଷ୍ଠ ବ୍ୟାଙ୍କ ଅଧିକାରୀ ସଂଗ୍ରାମ ସାଙ୍ଗ ମାନଙ୍କ ସହିତ ହୋଲି ଖେଳୁଥିଲେ l ତେବେ ହୋଲି ଖେଳ ସରିବା ପରେ ଗାଧେଇବା ପାଇଁ ଜୋକଡ଼ିଆ ଖରସ୍ରୋତା ନଦୀକୁ ସାଙ୍ଗ ମାନଙ୍କ ସହିତ ଯାଇଥିଲେ l ତେବେ ଅଧିକାରୀ ଜଣଙ୍କ ଗାଧେଇବା ବେଳେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ l ଏହାକୁ ଦେଖି ସାଙ୍ଗ ମାନେ ଅଧିକାରୀଙ୍କୁ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଛନ୍ତି l

ସେହିପରି ବ୍ରାହ୍ମଣୀ ନଦୀର ଖରୀ ପଡିଆ ଘାଟରେ ବୁଡି ଯୁବକ ମୃତ । ରଙ୍ଗ ଖେଳ ପରେ ସାଙ୍ଗ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ । ମୃତକ ହେଲେ ବରୀ ଜଁପଡା ଅଞ୍ଚଳର ହିରଣ୍ୟ କୁମାର ବେହୁରିଆ । ବରୀ ଦମକଳ ବାହିନୀକୁ ବାରମ୍ବାର ଫୋନ ପରେ ବି ଗାଡି ପହଞ୍ଚି ପାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ମୃତଦେହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି l

ବ୍ରାହ୍ମଣୀ ନଦୀରେ ବୁଡି ନାବାଳକ ମୃତ:

ସେହିପରି ଯଖପୁରା ଥାନା ଦିଗାମ୍ବରପୁର ନିକଟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ରଙ୍ଗ ଖେଳି ସାରି ନଦୀରେ ଗାଧୋଉଥିବା ବେଳେ ଘଟିଛି ଏହି ଅଘଟଣ । ମୃତକ ସ୍ଥାନୀୟ ଯଖପୁରା ଅଞ୍ଚଳର ସମରଜିତ୍ ମଲ୍ଲିକ ବୋଲି ଜଣାପଡ଼ିଛି ।

ମୃତ ସମରଜିତଙ୍କ ସମ୍ପର୍କୀୟ କହିଛନ୍ତି, ‘ପୁଅ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇଥିଲା । ଏ ସମ୍ପର୍କରେ ଆମକୁ ଖବର ମିଳିବା ପରେ ଆସି ଖୋଜା ଖୋଜି କରିଥିଲୁ । ମୃତଦେହ ଉଦ୍ଧାର କରାଯାଇଛି ।’