Odia News Portal

ନବକଳେବର ଦାରୁରେ ଦିଘା ଜଗନ୍ନାଥ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ, ସତ କହିଦେଲେ ମୁଖ୍ୟ ବାଡ଼ଗ୍ରାହୀ

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ । ବିବାଦୀୟ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ଆଜି ଦିନ ୧୧ ଟାରେ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା । ନିଯୋଗର ସଭାପତି ମଧ୍ୟ ଆଲୋଚନାରେ ରହିବେ ଉପସ୍ଥିତ । ଶ୍ରୀମନ୍ଦିର ଭିତରୁ ନବକଳେବର ସମୟରେ ବଳକା ଦାରୁରେ ଚତୁର୍ଦ୍ଧାବିଗ୍ରହଙ୍କୁ ନିର୍ମାଣ କରି ପ୍ରତିଷ୍ଠା କରିଥିବା ନେଇ ବେଙ୍ଗଲୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ରାମକୃଷ୍ଣ ଦାସ ମହାପାତ୍ର । ପରେ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟାକୁ କରିଥିଲେ ଖଣ୍ଡନ ।

ସେପଟେ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାଁରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା । ପୁରୀ ସତ୍ୟ ନଗରର ସୂଚନା ଅଧିକାର କର୍ମୀ ଜୟନ୍ତ ଦାଶ ଏହି ଏତଲା ଦେଇଛନ୍ତି । ରାମକୃଷ୍ଣ ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ନବକଳେବର ବଳକା ଦାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିକିଥିବା ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି । ବିଏନ୍‌ଏସ୍‌ର ବିଭିନ୍ନ ଦଫାରେ ମାମଲା ରୁଜୁ ପାଇଁ ଅନଲାଇନ୍ ଏତଲାରେ ଉଲ୍ଲେଖ ରହିଛି ।

ତେବେ ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ସେ କହିଛନ୍ତି, ମହାପ୍ରଭୁଙ୍କ ନବକଳେବର ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲାଗି ଆସିଥିବା ଦାରୁ ବଳକା ରହେ ନାହିଁ । ଯାହା ବଳକା ରହେ ସେଥିରେ ମୂର୍ତ୍ତି ନିର୍ମାଣ ସମ୍ଭବ ନୁହେଁ । କିଛି ଦିନର ନିରବତା ପରେ ଏଭଳି ମତବ୍ୟକ୍ତ କରିଛନ୍ତି ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ। ସେ ଆହୁରି କହିଛନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତିରେ କେବଳ ବ୍ରହ୍ମ ସଂସ୍ଥାପନର ପ୍ରାବଧାନ ରହିଛି ।

ଶ୍ରୀମନ୍ଦିର ରତ୍ନବେଦୀରେ ବିରାଜିତ ଶ୍ରୀବିଗ୍ରହମାନଙ୍କର ନବକଳେବର ହୋଇଥାଏ । ଯାହା ବିଶ୍ୱରେ କୌଣସି ମନ୍ଦିରରେ ହୁଏନାହିଁ । ସେହିଭଳି କେବଳ ଶ୍ରୀକ୍ଷେତ୍ରରେ ସ୍ୱୟଂ ନାରାୟଣ ଜଗନ୍ନାଥଙ୍କ ରୂପରେ ଦାରୁବ୍ରହ୍ମ ଭାବରେ ପୂଜା ପାଆନ୍ତି । ଜଗନ୍ନାଥ ଧାମ କେବଳ ଶ୍ରୀକ୍ଷେତ୍ର । ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଡାକିଥିଲେ ମୁଖ୍ୟ ପ୍ରଶାସକ। ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କୁ ମଧ୍ୟ ଚିଠି ଦିଆଯାଇଥିବା ବେଳେ ତାଙ୍କ ପୁଅ ବୈଠକରେ ଯୋଗ ଦେଇ ନିଜର ମତ ରଖିଛନ୍ତି ।

ସେପଟେ ଦୀଘା ଜଗନ୍ନାଥ ମନ୍ଦିରର ସୋସିଆଲ ମିଡିଆ ପେଜ୍‌ରେ ଜଗନ୍ନାଥ ଧାମ ନାମ ଉଲ୍ଲେଖ ରହିଛି । ଜଗନ୍ନାଥ ଧାମ, ଦୀଘା ନାମରେ ଏହି ଆକାଉଣ୍ଟରେ ଫାଉଣ୍ଡେସନ ଷ୍ଟୋନ ବା ଆଧାର ଶୀଳା ପ୍ରତିଷ୍ଠା ୨୦୨୨ରେ ହୋଇଥିବା ନେଇ ଉଲ୍ଲେଖ ରହିଛି । ଦୀଘା ଜଗନ୍ନାଥ ମନ୍ଦିରର ଏହା ଅଫିସିଆଲ୍ ଆକାଉଣ୍ଟ ବୋଲି ସୋସିଆଲ ପେଜ୍‌ରେ ଉଲ୍ଲେଖ ରହିଛି । ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଲାଗି ରହିଛି ବିବାଦ । ଗୋଟିଏ ପଟେ ନବକଳେବର ଦାରୁରେ ମୂର୍ତ୍ତି ତିଆରି ହୋଇଥିବା ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଅନ୍ୟଟି ଜଗନ୍ନାଥ ଧାମ ନାମକରଣକୁ ନେଇ ଉପୁଜିଛି । ୨୨ ହଜାର ଫୋଲୋଅର ଥିବା ଏହି ପେଜ୍‌ରେ ଜଗନ୍ନାଥ ଧାମ ଦୀଘା ନାମ ରହିବାକୁ ନେଇ ଅସନ୍ତୋଷ ଦେଖାଦେଇଛି ।