ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ମୁମ୍ବାଇରେ ଚିକିତ୍ସିତ ହେଉଥିବା ନବୀନଙ୍କୁ ନେଇ ସୁଜିତ କହିଛନ୍ତି, ତାଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି, ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ । ନବୀନ ବାବୁ ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରନ୍ତୁ ଏବଂ ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରନ୍ତୁ ।
ଖାଲି ଏତିକି ନୁହେଁ ନବୀନଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ସୁଜିତ କୁମାର । ସେ କହିଛନ୍ତି, ନବୀନ ବାବୁଙ୍କୁ ଲୋକମାନେ ଭଲ ପାଉଛନ୍ତି ଏହା ନିରାଟ ସତ୍ୟ କଥା । ଗଣତନ୍ତ୍ରରେ ଲୋକପ୍ରିୟତା, ନିର୍ବାଚନ ସମୟରେ ନେଇଥିବା ନିଷ୍ପତ୍ତି ଉପରେ ନିର୍ଭର କରେ । ଲୋକେ ୨୪ରେ ପରିବର୍ତ୍ତନ ଚାହିଲେ ଫଳ ସ୍ବରୂପ ବିଜେପି ସରକାରକୁ ଆସିଲା । ଲୋକପ୍ରିୟ କିଏ ତୁଳନା କରିବା ଠିକ ନୁହେଁ । ନବୀନ ବାବୁ କିମ୍ବା ଆଉ କିଏ ଲୋକପ୍ରିୟ ତୁଳନା କରିବା ଠିକ ହେବନି । ମୁଁ ଖାଲି ପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା କରୁଛି ଏବଂ ସମଗ୍ର ଓଡ଼ିଶାବାସୀ ମଧ୍ୟ କାମନା କରୁଛନ୍ତି ନବୀନ ବାବୁ ସୁସ୍ଥ ହୋଇ ଫେରନ୍ତୁ ।
ବଡ଼କଥା ହେଲା ସୁଜିତ କୁମାର ପୂର୍ବରୁ ବିଜେଡି ଟିକେଟ୍ ପାଇ ରାଜ୍ୟସଭାକୁ ଯାଇଥିଲେ ପରେ ପରେ ବିଜେଡି ହାତ ଛାଡ଼ି ପଦ୍ମ ଧରିଥିଲେ ଏବଂ ବିଜେପି ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି ।