Odia News Portal

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ଅଭିଯାନ, ପାଳନ ହେବ ନିଶା ନିବାରଣ ମାସ

ଓଡ଼ିଶାକୁ ନିଶାମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିବେ ମୋହନ ସରକାର । ଯାହାଫଳରେ ବେଆଇନ ନିଶାମୁକ୍ତ ହୋଇପାରିବ ଓଡ଼ିଶା । ପ୍ରଥମଥର ପାଇଁ ଅବକାରୀ ବିଭାଗ ପକ୍ଷରୁ ନିଶା ନିରୋଧ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ ଏହି ଅଭିଯାନ ଆରମ୍ଭ ହେବ । ସବୁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ସବୁ ବିଭାଗର ସଚିବଙ୍କ ସହିତ ଆଲୋଚନା ହୋଇଛି । ଓଡ଼ିଶାକୁ ସମ୍ପୂର୍ଣ୍ଣ ବେଆଇନ ନିଶା ମୁକ୍ତ କରାଯିବା ନେଇ ଯୋଜନା କରାଯାଇଛି । ଆସନ୍ତା ୩୧ ତାରିଖରୁ ଜୁନ ୨୬ ତାରିଖ ଯାଏଁ ମାସେ ବ୍ୟାପି ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ । ମେ ୩୧ ତାରିଖରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବର୍ଷରେ ତିନିଥର ଚାଲିବ କ୍ୟାମ୍ପେନ୍‌ । ପ୍ରତି ଗାଁରେ ଦାଶକାଠିଆ, ଘୋଡ଼ାନାଚ ଭଳି ଲୋକକଳା ମାଧ୍ୟମରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବ ବିଭାଗ । ନିଶା ବ୍ୟବହାରର ଅପକାରିତା ଓ ପ୍ରଭାବ ନେଇ ସଚେତନତା କରାଯିବ । ଅବକାରୀ ବିଭାଗ ସହ ପୁଲିସ, ଏସଟିଏଫ୍‌, ମିସନ ଶକ୍ତି, ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ କ୍ୟାମ୍ପେନ୍‌ କରିବେ । ମଦ ଓ ଡ୍ରଗ୍ସ ବିରୁଦ୍ଧରେ ମଧ୍ୟ କ୍ୟାମ୍ପେନ୍‌ ଚାଲିବ । ସ୍କୁଲ, କଲେଜରେ ରଚନା ମାଧ୍ୟମରେ ପିଲାମାନେ ଅନଲାଇନରେ ବାର୍ତ୍ତା ପହଞ୍ଚାଇବେ । ଶ୍ରେଷ୍ଠ ବିବେଚିତକୁ ପୁରସ୍କୃତ କରାଯିବ । ସ୍କୁଲ ଆଖପାଖରେ ଥିବା   ବେଆଇନ୍ ମଦ ଦୋକାନ ହଟିବ । ଗାଁରେ ନିଶା ରୋକିବାକୁ ମିସନ ଶକ୍ତି ମହିଳାଙ୍କ ସାହାଯ୍ୟ ନିଆଯିବ ବୋଲି ସୂଚନା ଦିଆଯାଇଛି ।